ନୂଆବର୍ଷରେ ରାଜଧାନୀରେ ଫୁଲ ଦୋକାନରେ ଭିଡ଼, ଡିମାଣ୍ଡରେ ଥିଲା ଲିଲିୟମ, ଅର୍ଚିଡ ଭଳି ଦାମୀ ଫୁଲତୋଡା

ଭୁବନେଶ୍ବର: ନୂଆ ବର୍ଷ, ନୂଆ ସକାଳ । ସମସ୍ତଙ୍କ ହାତରେ ରଙ୍ଗୀନ ଫୁଲ । ଫୁଲ ଶୁଭ୍ରତାର ପ୍ରତୀକ । ଏଥିପାଇଁ ରାଜଧାନୀରେ ଫୁଲ ଦୋକାନରେ ଜମିଥିଲା ଭିଡ଼ । ଫୁଲ ତୋଡାର ଦାମ ଥିଲା ୨୦ ଟଙ୍କାରୁ ୫ ହଜାର ଟଙ୍କା  । କିଏ ନେତା ମନ୍ତ୍ରୀଙ୍କ ପାଇଁ ତ ଆଉ କିଏ ନିଜ ଅଫିସରଙ୍କୁ ଶୁଭେଚ୍ଛା ଜଣାଇବାକୁ କିଣି ନେଇଥିଲେ । ଭୁବନେଶ୍ବର ଏଜି, ୯ ତାଲା, ନାଲୋକ, ସିଆରପି ଭଳି ପ୍ରମୁଖ ଫୁଲ ଦୋକାନରେ ଲାଗିଥିଲା ଗ୍ରାହକଙ୍କ ଭିଡ଼ । କିଏ ବୁକେ ନେଉଥିଲେ ତ ଆଉ କିଏ ବଞ୍ଚ ଓ ବାସ୍କେଟ । ଡିମାଣ୍ଡରେ ଥିଲା ଲିଲିୟମ, ଅର୍ଚିଡ ଦାମୀ ଫୁଲତୋଡା ।

ବର୍ଷସାରା ଫୁଲର ଚାହିଦା ରହିଥିବା ବେଳେ ନୂଆବର୍ଷରେ ଏହାର ଚାହିଦା ବେଶ ଅଧିକ ରହିଥାଏ । ସେଥିପାଇଁ କଲିକତା, ବେଙ୍ଗାଳୁରୁ, ଥାଇଲାଣ୍ଡ ଓ ହଂକଙ୍କରୁ ଫୁଲ ଦୋକାନୀ ବରାଦ କରିଥିଲେ । ୧୫ ପ୍ରକାର ଗୋଲାପ ଆସିଥିବା ବେଳେ, ଲିଲିୟମ, ଷ୍ଟାର ଫୁଲ, ଅର୍ଚିଡ, ଗ୍ଲାଡ଼ଓଲି, ଡଚରୋଜଲା, ବାର୍ଡ ଅଫ ପାରାଡାଇଜ, ଆନ୍ଥୋରିୟମ, ସେବତୀ ଥିଲା ବେଶ ପସନ୍ଦ । ପ୍ରତି ଦୋକାନରେ ଫୁଲ ତୋଡା ତିଆରି କରିବା ପାଇଁ ୮ ରୁ ୯ ଜଣ କାରିଗର ଲାଗିଥିଲେ ।

ଚଳିତ ବର୍ଷ ଫୁଲ ଗୁଚ୍ଛ ପାଇଁ ପ୍ଲାଷ୍ଟିକ ବ୍ୟବହାର ବ୍ୟାନ କରିଥିଲା ବିଏମସି । ତେଣୁ କେଉଁଠାରେ କାଗଜରେ ତ ଆଉ କେଉଁଠାରେ ଜରିରେ ପ୍ରସ୍ତୁତ ହୋଇଥିଲା ପୁଷ୍ପ ଗୁଚ୍ଛ ।