ଆମ ସମର୍ଥନରେ ଅଛନ୍ତି ୧୭୦ ବିଧାୟକ: ଏକନାଥ ସିନ୍ଦେ

ମୁମ୍ବାଇ: ହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତା ସୋମବାର ଦିନ ବିଧାନସଭାରେ ଫ୍ଲୋର ଟେଷ୍ଟର ସାମ୍ନା କରିବେ । ଏଥିପାଇଁ ରବିବାର ଓ ସୋମବାର ବିଧାନସଭାର ଅଧିବେଶନ ବସିବ । ନୂଆ ବାଚସ୍ପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ହେବ । ଗତକାଲି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପିର ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଆମ ସମର୍ଥନରେ ୧୭୦ ବିଧାୟକ ଅଛନ୍ତି  । ଆସ୍ଥା ଭୋଟରେ ଆମେ ବିଜୟୀ ହେବୁ ବୋଲି ସେ ଦାବି କରିଛନ୍ତି  ।

ଏଣେ ଶିବସେନାର ୩୮ ବିଧାୟକଙ୍କ ବିରୋଧରେ ମହାବିକାଶ ଅଘାଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଶିବସେନାର ସବୁ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭାରୁ ବାରଣ ପାଇଁ ଆବେଦନ କରାଯାଇଛି । ଯେଉଁ ବିଧାୟକଙ୍କ ବିରୋଧରେ ଶୁଣାଣି ଚାଲିଛି ବା ଶୁଣାଣି ହେବାକୁ ଯାଉଛି, ସେମାନଙ୍କୁ ଗୃହକାର୍ଯ୍ୟରୁ ରୋକିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବେ । ଏକନାଥ ସିନ୍ଦେଙ୍କ ବିଦ୍ରୋହ ସତ୍ତ୍ବେ ଶିବସେନା ଉଦ୍ଧବ ଠାକ୍ରେଙ୍କର ବୋଲି ଟିମ୍ ଉଦ୍ଧବ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଯାହା ଜଣାପଡୁଛି ଟିମ୍ ଉଦ୍ଧବ ହଠାତ ଏବେ ବି ହାର ମାନିବା ମୁଡରେ ନାହିଁ । ଏକନାଥ ସିନ୍ଦେଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଟିମ୍ ଉଦ୍ଧବ ପ୍ରସ୍ତୁତ ହେଉଛି ।

ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଉଦ୍ଧବ ଠାକରେ । ଯେଉଁମାନେ ବିଜେପି ସହ ଯାଇଛନ୍ତି, ସେମାନେ ନିଜକୁ ପ୍ରଶ୍ନ କରନ୍ତୁ ବୋଲି ଉଦ୍ଧବ କହିଛନ୍ତି । ବର୍ତ୍ତମାନ ବିଜେପି ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟାଖ୍ୟାନ କରିଛି, ତେବେ ୨୦୧୯ରେ କାହିଁକି ଅମଙ୍ଗ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ । ଆସନ୍ତା ୪ରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି  । ଶିବସେନା ପକ୍ଷରୁ ସେଦିନ ହ୍ୱିପ ଜାରି କରାଯାଇ ପାରେ  । ତେବେ ବିଦ୍ରୋହୀ ବିଧାୟକମାନେ ହ୍ୱିପକୁ ସମର୍ଥନ କରିବେ ନାଁ ଏକନାଥ ସିନ୍ଦେଙ୍କୁ, ତାହାକୁ ଅପେକ୍ଷା  ।