ବିଭିନ୍ନ ନଦୀରେ ବଢ଼ିବାକୁ ଲାଗିଛି ଜଳସ୍ତର, ଫଳରେ ଫସଲ ନଷ୍ଟ ହେବା ସହ ବୁଡ଼ୁଛି ଘରଦ୍ୱାର

ଭୁବନେଶ୍ୱର: ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ନଦୀରେ ବୃଦ୍ଧି ପାଇଛି ଜଳସ୍ତର। ଫଳରେ କିଛି ମାତ୍ରାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ଗାଁ ମାନଙ୍କରେ ପାଣି ପଶିଯାଇଥିବା ବେଳେ ଘର ମଧ୍ୟ ବର୍ଷାରେ ଭାଙ୍ଗି ପଡ଼ିଛି। ଯେଉଁଥିପାଇଁ ଲୋକେ ନିଜ ଗାଁ ଠାରୁ ବିଚ୍ଛିନ୍ନ ହୋଇଛନ୍ତି।

ସୁବର୍ଣ୍ଣପୁରରେ ମହାନଦୀ ତାର କରାଳ ରୂପ ଦେଖାଇବା ଆରମ୍ଭ କରିଛି। ହୀରାକୁଦ ଡ୍ୟାମରୁ ୨୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ, ସୁବର୍ଣ୍ଣପୁରରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମହାନଦୀର ଦୁଇ କୂଳ ଲଙ୍ଘି ପାଣି ଚାଲୁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିବାରେ ଲାଗିଛି। ଜିଲ୍ଲାର ଉଲୁଣ୍ଡା ବ୍ଲକ ମୁଣ୍ଡୋଘାଟ, ବିଜେପୁର, ଭଜ୍ୱଳପୁର ଆଦି ଗାଁରେ ଶହ ଶହ ଏକର ଚାଷଜମି ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେପଟେ ସୋନପୁର ବୀରମହାରାଜପୁରକୁ ସଂଯୋଗ କରୁଥିବା ବାଇପାସ ରାସ୍ତା ମୁଣ୍ଡୋଘାଟରେ ଥିବା କୁଲଥି ଯୋର ବ୍ରିଜ ଉପରେ ୩ ଫୁଟର ପାଣି ଚାଲୁଛି। ଫଳରେ ମୁଣ୍ଡୋଘାଟରୁ ହିକୁଡି ଆଦି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ତଳିଆ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସେହିପରି ରାଉରକେଲା ସହରର ପାନପୋଷ ନିକଟରେ ଥିବା ପଲପଲ ବସ୍ତି ଓ ବାଲୁଘାଟ ବସ୍ତିରେ ପ୍ରବେଶ କରିଛି ବ୍ରାହ୍ମଣୀ ନଦୀର ବନ୍ୟାଜଳ। ଦୁଇ ବସ୍ତିରେ ଥିବା ୪୦ରୁ ଅଧିକ ଘର ବନ୍ୟା ଜଳ ଘେରରେ ରହିଛି। ଦୁଇ ବସ୍ତିରେ ବନ୍ୟା ଜଳ ପ୍ରବେଶ କରିବା ପରେ ବସ୍ତି ବାସିନ୍ଦା ଭୟଭୀତ ହୋଇ ପଡିଛନ୍ତି। ବନ୍ୟା ଜଳ ବସ୍ତିରେ ପ୍ରବେଶ କରିବା ପରେ ବସ୍ତି ବାସିନ୍ଦାଙ୍କୁ ନିକଟସ୍ଥ ସ୍କୁଲ ଘରକୁ ସ୍ଥାନାନ୍ତରିତ କରାଯାଉଛି। ରାଉରକେଲା ମହାନଗର ନିଗମ ପଷରୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ତଳିଆ ଅଞ୍ଚଳରେ ଥିବା ଏହି ଦୁଇ ବସ୍ତିରେ ବର୍ଷାଜଳ ପ୍ରତିବର୍ଷ ପ୍ରବେଶ କରୁଥିବାରୁ ସ୍ଥାୟୀ ସମାଧାନ ପାଇଁ ବସ୍ତି ବାସିନ୍ଦା ଦାବି କରିଛନ୍ତି।

ସେପଟେ ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରରେ ସତର୍କ ସଙ୍କେତ ଟପିଲା ବୈତରଣୀ। ଏଠାରେ ସତର୍କ ସଙ୍କେତ ୩୭.୪୫ ମିଟର ଥିବା ବେଳେ, ବର୍ତ୍ତମାନ ନଦୀର ଜଳସ୍ତର ୩୭.୭୮ ମିଟର ରହିଛି। ଦୁଇ ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ନଦୀ ଜଳ ପତନ ବୃଦ୍ଧି ପାଇଥିଲେ ମଧ୍ୟ କୌଣସି ସ୍ଥାନରୁ କ୍ଷୟକ୍ଷତିର ସୂଚନା ମିଳିନାହିଁ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି।

ବୌଦ୍ଧ ଜିଲ୍ଲାର ତେଲନଦୀ, ବାଘନଦୀ ଓ ସାଲୁଙ୍କି ନଦୀରେ ମଧ୍ୟ ବନ୍ୟା। ଏହି ତିନି ନଦୀର ପନ୍ୟା ଜଳ ମହାନଦୀରେ ମିଶିବା ପରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟରୁ ଛଡାଯାଉଛି ବନ୍ୟାଜଳ। ଏବେ ଧୀରେ ଧୀରେ ଫୁଲୁଛି ମହାନଦୀ। ତଳିଆ ଅଞ୍ଚଳ ହରଭଙ୍ଗା ବ୍ଲକର ଅନେକ ଗାଁ ଏବେ ଜଳ ଘେରରେ ରହିଛନ୍ତି। ସେହିପରି ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ସମ୍ପୂର୍ଣ୍ଣ ବଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ଡ଼ଙ୍ଗା ଓ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖି ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଉଛି।

ସେହିପରି ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର। ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୮.୩୧ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଅନ୍ୟପଟେ ବୈତରଣୀର ବନ୍ୟାରେ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହିତ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି।

ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ ମହାନଦୀ କୂଲିଆ ଗାଁ ଚିଖିଲି, ଅନ୍ତରାଡି, ବେନିଆପାଲୀ, ଘୁଘୁରାପାଲୀ ଓ ବଡମାଲରେ ବନ୍ୟାପାଣି ପଶିବା ଆଶଙ୍କା। ବିଶେଷ କରି ଚିଖିଲିରେ ଶହଶହ ଏକର ଧାନ ଫସଲ ବୁଡି ରହିଛି। ପ୍ରବଳ ବର୍ଷା ଓ ଛତିଶଗଡ ଅଞ୍ଚଳରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିବା ସାଙ୍ଗେ ସାଙ୍ଗେ ହୀରାକୁଦ ନଦୀବନ୍ଧ ର ପଛୁଆ ପାଣିରେ ଏହି ଗ୍ରାମ ଗୁଡିକ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ଏବେ ମଧ୍ୟ ବନ୍ୟାପାଣି ବଢୁଥିବାରୁ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି।

ପଟ୍ଟାମୁଣ୍ଡାଇ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ଓ ତାର ଶାଖା ନଦୀ କାଣୀ ନଦୀରେ ଜଳ ସ୍ତର ବଢିବାରୁ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ୧୩ଟି ପଞ୍ଚାୟତ ସଂପୂଣ୍ଣ ପାଣି ଘେରରେ। ବ୍ଲକର ସବୁଠୁ ଅବହେଳିତ ପଞ୍ଚାୟତ ସିଂହ ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ବିଭିନ୍ନ ଜାଗାରେ ଘାଇ ହୋଇଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକକୁ ସଂଯୋଗ କରୁଥିବା ଅମୃତ ମଣୋହି ଛକ ନିକଟରେ କଂକ୍ରିଟ ପୋଲ ଭାସି ଯାଇଥିବାବେଳେ ୨୦ ଫୁଟର ଘାଇ ହୋଇଥିବା ଦେଖିବାକୁ ମିଳିଛି। ୧୫ ରୁ ଉର୍ଦ୍ଧ ପରିବାର ପାଣି ଘେରରେ ରହିଛନ୍ତି ।

Leave a Reply