ଲଗାଣ ବର୍ଷା କାରଣରୁ ବିପଦ ସଙ୍କେତ ଉପରେ ବିଭିନ୍ନ ନଦୀର ଜଳସ୍ତର

1 min read

ଭୁବନେଶ୍ୱର: ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି । କିଛି ସ୍ଥାନରେ ଜଳସ୍ତର ବଢିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କାଙ୍ଗୁରକୋଣ୍ଡା ନାଳରେ ପାଣି ବଢିବା ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ହୋଇଛି। ତେବେ ଜୟପୁର-ପଙ୍ଗାମ ମୁଖ୍ୟରାସ୍ତାରେ ଥିବା ପଙ୍ଗାମ ନଦୀରେ ଜଳସ୍ତର ହ୍ରାସ ପାଇଛି । ସେହିପରି ପୋଟେରୁରେ ମଧ୍ୟ ପାଣି କମିଛି। ତେବେ ସୀମାନ୍ତ ଆନ୍ଧ୍ରରେ ପ୍ରବାହିତ ଗୋଦାବରୀ ନଦୀରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଉଥିବାରୁ ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ସେହିପରି ଭୁବନରେ କମୁଛି ପାଣି, ହେଲେ କମିନି ଦୁର୍ଦ୍ଦଶା । ଲଗାଣ ବର୍ଷାରେ ବ୍ରାହ୍ମଣୀ ଏବଂ ତାର ଶାଖା ନଦୀରେ ବନ୍ୟା ଜଳ ଆସି ଭୁବନ ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିଲା। ଏଥିସହ କିଛି ଗାଁ ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲା। ତେବେ ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପଂଚାୟତର ଜୟପୁର ଗାଁ ବେଶୀ ପ୍ରଭାବିତ ହୋଇଛି । ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି। ୩ ଦିନ ଜଳବନ୍ଦୀ ପରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି ।

ଅନ୍ୟପଟେ, ଲଘୁଚାପ ବର୍ଷାରେ ଫୁଲୁଛି ଜଳକା । ବାଲେଶ୍ୱର ବସ୍ତା ବ୍ଲକ ମଥାନୀରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ମଥାନୀରେ ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ଆଜି ସକାଳ ୭ଟା ସୁଦ୍ଧା୬.୪୦ ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି ୦.୧ ମିଟର ଜଳସ୍ତର ବଢୁଥିବା ସୂଚନା ମିଳିଛି । ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡା ଅଂଚଳରେ ପ୍ରବଳ ବର୍ଷା ହୋଇଛି । ବନ୍ୟା ଆସିଲେ ବସ୍ତା ବ୍ଲକର ୧୨ଟି ଓ ସଦର ବ୍ଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା ରହିଛି । ସେହିପରି ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପଶିବା ଦ୍ୱାରା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।

Leave a Reply