ବଢୁଛି ସୁବର୍ଣ୍ଣରେଖା ରାଜଘାଟରେ ଟପିଲା ବିପଦ ସଂକେତ, ବାଲିଆପାଳ ବ୍ଲକର ବିଭିନ୍ନ ଗାଁ ପାଣି ଘେରରେ

1 min read

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ରାଜ୍ୟ । ପ୍ରବଳ ବର୍ଷା କାରଣରୁ ଜଳ ବନ୍ଦୀରେ ଅଧା ଓଡ଼ିଶା । ଲଗାଣ ବର୍ଷା କାରଣରୁ ସେପଟେ ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀରେ ଉପୁଜିଛି ବନ୍ୟାସ୍ଥିତି । ସେହିପରି ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ବର୍ଷା କାରଣରୁ ଅନ୍ୟପଟେ ୩ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ଲଗାଣ ବର୍ଷା କାରଣଣୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯାହାଫଳରେ ଖୋଲିଲା ଆଉ ୪ ସ୍ଲୁଇସ ଗେଟ୍ । ଏବେ ୨୪ଟି ସ୍ଲୁଇସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୪.୨୭ ଫୁଟରେ ପହଁଚିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୫୬ହଜାର ୦୦୬ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୩ଲକ୍ଷ ୩୫ହଜାର ୬୫୮ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ବାମ ପର୍ଶ୍ୱରୁ ୧୬ ଓ ଦକ୍ଷିଣ ପର୍ଶ୍ୱରୁ ୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ଉପରମୁଣ୍ଡ ଝାଡଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜଘାଟ ଠାରେ ବିପଦ ସଙ୍କେତ ଟପିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦ ଦଶମିକ ୩୬ ମିଟର ଥିବାବେଳେ, ୧୦ ଦଶମିକ ୯୦ ମିଟରରେ ଜଳ ପ୍ରବାହିତ ହେଉଛି । ଫଳରେ ବାଲିଆପାଳ-ବିଷ୍ଣୁପୁର ରାସ୍ତାରେ ୩ଫୁଟର ପାଣି ଚାଲୁଛି । ବାଲିଆପାଳ ବ୍ଲକର ଅସ୍ତି, କୁଡ଼ମାନସିଂ, ମଧୁପୁରା, ବିଷ୍ଣୁପୁର, ଗୁଣାପୁର ଅଞ୍ଚଳରେ ପାଣି ପଶିଛି । ତଳିଆ ଅଞ୍ଚଳରୁ ୨୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସମ୍ଭାବ୍ୟ ସ୍ଥିତିକୁ ନଜରରେର ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି । ସେହିଭଳି ତିଗିରିଆ ବ୍ଲକର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ଏବ ଚାଲୁଛି । ମହାନଦୀରେ ଜଳସ୍ତର ବଢ଼ିବା କାରଣରୁ ବନ୍ୟା ଘେରରେ ରହିଛନ୍ତି ଉତ୍ତରବାଙ୍କୀ ବ୍ଲକର  ୬ଟି ଓ ତିଗିରିଆର ଗୋଟିଏ ପଞ୍ଚାୟତର ଲୋକେ ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲୁରହିଛି । ଭଦ୍ରକର ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁରରେ ବନ୍ୟାଘେରରେ ଫସିଥିବା ୨ ଭାଇଙ୍କୁ ଉଦ୍ଧାର କଲା ଏନଡିଆରଏଫ ଟିମ୍ । ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨ ଘଣ୍ଟାର ଅପରେସନ ପରେ ୨ ଭାଇଙ୍କୁ ଉଦ୍ଧାର କରାଯାଇଛି । ବୈତରଣୀର ବନ୍ୟା ପାଣିରେ ଷୋଳମପୁର ଜଳବନ୍ଦୀ ହୋଇଥିବା ବେଳେ ବଲଭୀଘାଟ ଠାରେ ୨ ଭାଇ ଫସି ରହିଥିଲେ । ଏନେଇ ବିଡିଓଙ୍କୁ ଯୋଗଯୋଗ କରିବା ପରେ ଏନଡିଆରଏଫ ଟିମ ଉଭୟଙ୍କୁ ଉଦ୍ଧାର କରିଥିଲା ।

Leave a Reply