spot_img

Latest Posts

କମୁଛି ଜଳସ୍ତର, ହେଲେ କମିନି ଦୁର୍ଦ୍ଦଶା: ୪ଦିନ ପରେ ବି ପାଣି ଘେରରେ ଗାଁ ଲୋକେ

ଭୁବନେଶ୍ୱର: ମହାନଦୀ ମୁଣ୍ଡଳିରେ ଏବେ ୧୦ ଲକ୍ଷ ୧୮ ହଜାର ୩୭୨ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି କାଠଯୋଡିରେ ନରାଜଠାରେ ୫ ଲକ୍ଷ ୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉଭୟ ସ୍ଥାନରେ ଜଳସ୍ତର ବିପଦ ସଂକେତ ତଳେ ରହିଛି। ତେବେ ଗତକାଲି ଅପରାହ୍ନଠାରୁ ମହାନଦୀରେ ୧୦ ଲକ୍ଷ କ୍ୟୁସେକ ଉପରେ ଜଳ ପ୍ରବାହିତ ହେଉଥିବାରୁ ତଳମୁଣ୍ଡ ଓ ନଦୀକୂଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି ।

 

ସେହିପରି କମୁଛି ବୈତରଣୀ ଜଳସ୍ତର, ତେବେ ବନ୍ୟାର ୪ ଦିନ ପରେ ବି ଲୋକେ ପାଣି ଘେରରେ ରହିଛନ୍ତି । ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି । ଆବଶ୍ୟକସ୍ଥଳେ ଡ଼ଙ୍ଗା ସାହାଯ୍ୟରେ ଲୋକେ ଯାତାୟତ କରୁଛନ୍ତି । ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଧାମନଗର ବ୍ଲକ ସୀମାନ୍ତ ରଇପୁର ପଞ୍ଚାୟତର କାଠମୁଣ୍ଡା ଗାଁର ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଚାଷ ଜମି ଉପରେ ଛାତିଏ ଉଚ୍ଚର ପାଣି ଚାଲିଥିବା ବେଳେ, ଘର ଦାଣ୍ଡରେ ଆଣ୍ଠୁଏ ପାଣି ରହିଛି । କାଠମୁଣ୍ଡା ଗାଁରୁ ବେତାଳି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ପାଣି ଚାଲିଥିବାରୁ, ସମ୍ପୂର୍ଣ୍ଣ ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଦୟାନଦୀରେ ବନ୍ୟା ପାଇଁ ମଧ୍ୟ ପ୍ରଭାବିତ ହୋଇଛି କଣାସ ବ୍ଲକ । ପାଣ୍ଡିଆକେରା ପଞ୍ଚାୟତର ୧୨ଟି ଗାଁ ଜଳମଗ୍ନ ହୋଇଛି। ରାସ୍ତା ଓ ବିଲ ଉପରେ ୧୫ ଫୁଟ ପାଣି ଜମିଛି। ଯେଉଁଥିପାଇଁ ଡ଼ଙ୍ଗାରେ ଯାତାୟତ କରିବାକୁ ପଡ଼ୁଛି। ପାଖାପାଖି ୧୫ ହଜାର ଲୋକ ପାଣି ଘେରରେ ରହିଛନ୍ତି। ସେମାନଙ୍କ ଘରେ ପାଣି ପଶିଯାଇଥିବାରୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି।

ତେବେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଜପତି, ରାୟଗଡା ,କନ୍ଧମାଳ,ଭଦ୍ରକକୁ ସତର୍କତା ଜାରି କରାଯାଇଛି। ଏହାସହ ଆସନ୍ତା ୨ ତାରିଖରେ କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଗଜପତି, ରାୟଗଡା, ମାଲକାନଗିରି, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨ତାରିଖ ସନ୍ଧ୍ୟାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Latest Posts

Don't Miss