ଭସାଉଛି ବନ୍ୟା, ଧସୁଛି ପାହାଡ଼: ଲୋକେ ଡାକୁଛନ୍ତି ତ୍ରାହି ତ୍ରାହି

1 min read

ଡେରାଡୁନ: ପ୍ରକୃତିର କୋପରୁ ନା କେହି ବଞ୍ଚିଛି ନା ବଞ୍ଚିବା ସମ୍ଭବ । ବିଜ୍ଞାନ ଯେତେ ଆଗକୁ ଗଲେ ବି ପ୍ରକୃତି ଯେତେବେଳେ ନିଜରୁ ରୋଦ୍ରରୂପ ଦେଖାଇବା ଆରମ୍ଭ କରେ ବସୁ କିଛି ଛାରଖାର ହୋଇଯାଏ । ଯାହା ଏବେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳୁଛି । ବର୍ଷା ଓ ଭୟଙ୍କର ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଘରଦ୍ବାର ଛାଡ଼ି ନିରାପଦ ସ୍ଥାନକୁ ପଳାଉଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୭ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ବାସହରା ହେଇସାରିଛନ୍ତି ।

ବିଶେଷ କରି କୁମାଉଁ ଅଞ୍ଚଳ ବେଶି ପ୍ରଭାବିତ ହୋଇଛି । ଏଠାରେ ବନ୍ୟାରେ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଲଗାଣ ବର୍ଷା ଓ ବନ୍ୟାରେ ବହୁ ଲୋକ ପାଣି ଘେରରେ ଫସି ରହିଛନ୍ତି ।

ନୈନିତାଲ ବାହ୍ୟଜଗତରୁ ବିଚ୍ଛିନ୍ନ

ପ୍ରକୃତିର ସୌନ୍ଦର୍ଯ୍ୟକୁ କୋଳରେ ଧରିଥିବା ନୈନିତାଲ ବି ପ୍ରକୃତିର କୋପରୁ ବର୍ତ୍ତି ପାରିନି । ରାଜ୍ୟର ଅନ୍ୟ ଅଞ୍ଚଳରୁ ନୈନିତାଲ ବିଚ୍ଛିନ୍ନ ହୋଇଯାଇଛି । ଭୂସ୍ଖଳନ ଫଳରେ ଅଞ୍ଚଳର ତିନି ପ୍ରମୁଖ ରାସ୍ତାରେ ବ୍ୟାପକ କ୍ଷତି ଘଟିଛି । ବାୟୁସେନାର ୨ଟି ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଭୟଭିତ ନହେବାକୁ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ଲୋକଙ୍କୁ ଅନୁରୋଧ କରିଛନ୍ତି । ଫସିଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି ।

ଡାରାଉଛି ଗଙ୍ଗା

ପିଥୌରାଗଡ଼ରେ ବନ୍ୟ ଭଳି ସ୍ଥିତି । ଏଠାରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ଚମୋଲିର ଥରାଲି ଓ କର୍ଣ୍ଣପ୍ରୟାଗ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ବ୍ୟାପକ କ୍ଷତି ଘଟିଛି । ଲଗଣା ବର୍ଷା ଯୋଗୁଁ ବହୁ ଘର ଭାଙ୍ଗି ଯାଇଛି । ଋଷିକେଶ-ବଦ୍ରିନାଥରେ ୫୮ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ହରିଦ୍ବାରରେ ଗଙ୍ଗାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଉତ୍ତରାଖଣ୍ଡରୁ ୟୁପି ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି ।

ଅଲମୋରାରେ ୭ ମୃତ

ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅଲମୋରାରେ ୭ ଜଣଙ୍କ ଜୀବନ ଯାଇଛି । ରାପଡ଼ ଗାଁରେ ପାହାଡ଼ରୁ ମାଟି ଅତଡ଼ା ଖସି ଏକ ଘର ଉପରେ ପଡ଼ିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘରୁ ଜଣେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Leave a Reply