ପ୍ରଥମରୁ ପିଲାଙ୍କ ହେବ ଜ୍ଞାନ ଅଭିବୃଦ୍ଧି
1 min read
ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଶ୍ରେଣୀରୁ ଶିକ୍ଷାରେ ନିପୁଣତା ହାସଲ କରିବେ ଛାତ୍ରଛାତ୍ରୀ । ଏଥିପାଇଁ ନୂତନ ଏକ ଶିକ୍ଷା ପଦ୍ଧତି FLN କ୍ଲାସ ମାଧ୍ୟମରେ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୨୭ଟି ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି। ଯେଉଁଥିରେ ପ୍ରାଥମିକ ସ୍ତରରୁ ସାଧାରଣ ଜ୍ଞାନ, ଭାଷା ସାହିତ୍ୟ ଓ ଗଣିତ ଶିକ୍ଷାରେ ଦକ୍ଷତା ହାସଲ କରିବେ ଶିକ୍ଷାର୍ଥୀ।
ପ୍ରଥମରୁ ପିଲାଙ୍କ ହେବ ଜ୍ଞାନ ଅଭିବୃଦ୍ଧି। ହାଇଟେକ କ୍ଲାସରୁମ ସାଙ୍ଗକୁ ସ୍କୁଲ ପାରିପାର୍ଶ୍ବର କରାଯାଉଛି ବିକାଶ । ଶିକ୍ଷଣୀୟ ସାମଗ୍ରୀ ଦ୍ବାରା ଦିଆଯାଉଛି ଶିକ୍ଷାଦାନ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଏଫଏଲଏନ କ୍ଲାସର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । FLN ଅର୍ଥାତ ଫଣ୍ଡାମେଣ୍ଟାଲ ଲିଟେରାସି ଆଣ୍ଡ ନ୍ୟୁମେରିସି । ପିଲାଙ୍କ ସାମାଜିକ, ଭାଷାଶିକ୍ଷା ଓ ଗାଣିତିକ ଜ୍ଞାନର ଦକ୍ଷତାର ଅଭିବୃଦ୍ଧି ପାଇଁ ଧ୍ୟାନ ଦିଆଯାଇଛି । ରଙ୍ଗିନ ଚିତ୍ରକଳାରେ ଶ୍ରେଣୀଗୃହକୁ ସଜାଇ ଆକର୍ଷଣୀୟ ପରିବେଶ ସୃଷ୍ଟି କରାଯାଇଛି । ଏହାସହ ଶିକ୍ଷଣ ସାମଗ୍ରୀ ଭାବେ ବିଭିନ୍ନ ପ୍ରକାରର ପପେଟ, ମାଟି ଖେଳନା, କାର୍ଡ ବୋର୍ଡ, ଅକ୍ଷର ଓ ଶବ୍ଦର ପ୍ଲାକାର୍ଡ, ଚିତ୍ରକଳା ମାଧ୍ୟମରେ ଗଳ୍ପ, ନାଚ ଗୀତ ଆଦି ଦ୍ବାରା ପିଲାଙ୍କୁ ଶିକ୍ଷିତ କରାଯାଉଛି। ଫଳରେ ସ୍କୁଲ ପ୍ରତି ଆକ୍ରୁଷ୍ଟ ହେଉଛନ୍ତି ଛାତ୍ରଛାତ୍ରୀ।
ଛାତ୍ରଛାତ୍ରୀଙ୍କୁ FLN ପଦ୍ଧତିରେ ଅଧିକ ଶିକ୍ଷିତ କରିବା ପାଇଁ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ଏଥିପାଇଁ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୨୭ଟି ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି। ଏହି ପଦ୍ଧତି ଦ୍ବାରା ପିଲାଙ୍କ ସାମାଜିକ, ସାହିତ୍ୟ, ବିଜ୍ଞାନ ତଥା ଗଣିତ ଜ୍ଞାନ ସୁଦୃଢ ହେଉଛି। ଯାହାଙ୍କ ଉଚ୍ଚ ଶିକ୍ଷା ପାଇଁ ବହୁ ଉପଯୋଗୀ। ସରକାରଙ୍କ ଏହି ପ୍ରୟାସ ଫଳପ୍ରଦ ହେଉଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।