ଆଜିଠୁ ଜୟପୁରକୁ ଆରମ୍ଭ ହେବ ବିମାନସେବା: ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ବର: ଆଜି ଉପାନ୍ତ ପାଇଁ ସ୍ବର୍ଣ୍ଣିମ ଦିନ । ପୂରଣ ହେବ ଦୀର୍ଘ ବର୍ଷର ସ୍ବପ୍ନ । ଆକାଶ ମାର୍ଗରେ ରାଜଧାନୀ ସହ ଯୋଡ଼ି ହେବ ଜୟପୁର । ଉପାନ୍ତବାସୀଙ୍କୁ ମିଳିବ ବିମାନ ସେବା । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ବିମାନବନ୍ଦରକୁ ଉଡ଼ିବ ବିମାନ । ସକାଳ ୧୦ଟା ୩୦ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇବ ଇଣ୍ଡିଆ ଓ୍ବାନ ଏୟାର । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ ।

ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ୍ ମୂଲ୍ୟ ୧୦୪୯ ଟଙ୍କା ରହିଛି । ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ । ବିମାନ ଉଡ଼ାଣ ପୂର୍ବରୁ ଗତକାଲି ଆଇନ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଜୟପୁର ବିମାନ ବନ୍ଦରର ଅନୁଧ୍ୟାନ କରିଥିଲେ । ଖୁବଶୀଘ୍ର ଅଧିକ ଯାତ୍ରୀ ଯିବା ବିମାନ ଉପଲବ୍ଧ ହେବ । ଏଥିପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।