ବିଦେଶରୁ ପୁରୀକୁ ଉଡ଼ିବ ବିମାନ, ବିଶ୍ବ ମାନଚିତ୍ରରେ ମିଳିବ ସ୍ବତନ୍ତ୍ର ପରିଚୟ

1 min read

ପୁରୀ: ବିଦେଶରୁ ପୁରୀକୁ ଉଡ଼ିବ ବିମାନ । ଜଗା ଦର୍ଶନ ପାଇଁ ସାରା ବିଶ୍ବରୁ ଆସିବେ ଶ୍ରଦ୍ଧାଳୁ । ପର୍ଯ୍ୟଟନକୁ ମିଳିବ ବୁଷ୍ଟ। ସାକାର ହେବ ପୁରୀକୁ ଐତିହ୍ୟ ନଗରୀ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା। ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରଦାନ ସହ ସରିଛି ଅବଷ୍ଟ୍ରାକ୍ସନ ସର୍ଭେ । ବିମାନବନ୍ଦର ନେଇ ୧୧୪୨ ଏକର ଜମି ଚିହ୍ନଟ ହୋଇଛି। ଏହା ମଧ୍ୟରୁ ୨୨୧ ଏକର ଜମି ଅଧିଗ୍ରହଣ ନେଇ ଜଣଶୁଣାଣି କରାଯିବ । ପୁରୀ ସିପସରୁବାଲି ମୌଜାର ୧୫୩ ଏକର ଓ ଷଣ୍ଢପୁର ମୌଜାର ୧୬୮ ଏକର ଜମି ନେଇ ପ୍ରଶାସନ ପକ୍ଷରୁ ଆଗାମୀ ୩୦ ଓ ୩୧ ତାରିଖରେ ଜନଶୁଣାଣି କରାଯିବ । ବିମାନବନ୍ଦର ନିର୍ମାଣକୁ ସବୁ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ଏହାର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ବିମାନବନ୍ଦର ହେଲେ ପୁରୀକୁ ସୁବିଧାରେ ଆସିପାରିବେ ପର୍ଯ୍ୟଟକ। ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ । ବିଶ୍ୱ ମାନଚିତ୍ରରେ ପୁରୀ ଏକ ବିକଶିତ ସହରର ମାନ୍ୟତା ପାଇବା ସହ ଗମନାଗମନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପିତ ହେବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବିଶ୍ୱ ସହ ଶ୍ରୀକ୍ଷେତ୍ରକୁ ଯୋଡିବ । ଐତିହ୍ୟ, ପର୍ଯ୍ୟଟନର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ହୋଇପାରିବ।

ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ନିକଟରେ ଦିଲ୍ଲୀ ଗସ୍ତ କରି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୨ ସେପ୍ଟେମ୍ବରରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସାଇଟ୍ କ୍ଲିୟରାନ୍ସ ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି ।