ଅଗ୍ନିପଥ ନିଆଁରେ ତାତିଲା ପକେଟ, ମହଙ୍ଗା ହେଲା ବିମାନ ଯାତ୍ରା

ପାଟନା: ଅଗ୍ନିପଥ ଯୋଜନାର ବିରୋଧ କରି ହିଂସା ପ୍ରଦର୍ଶନ ପରେ ବିହାରରେ ରେଳସେବା ବାଧାପ୍ରାପ୍ତ ହୋଇଛି । ଯାହାର ପ୍ରଭାବ ପାଟନା ବିମାନବନ୍ଦରରେ ଦେଖିବାକୁ ମିଳିଛି  । ବିପୁଳ ସଂଖ୍ୟାରେ ଯାତ୍ରୀ ବିମାନରେ ଯାତ୍ରା କରି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । ଭିଡକୁ ଦେଖି ବଡବଡ ସହରକୁ ବିମାନ ଯାତ୍ରା ମହଙ୍ଗା ହୋଇଛି  । ଯାହା ଫଳରେ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

ପାଟନା ବିମାନ ବନ୍ଦରରୁ କୋଚି ଯାଉଥିବା ଜଣେ ଯାତ୍ରୀ କହିଛନ୍ତି ଯେ ସେ ଚେନ୍ନାଇ ପର୍ଯ୍ୟନ୍ତ ଟିକେଟ କାଟିଥିଲେ  । କିନ୍ତୁ ଟ୍ରେନ ବାତିଲ ପରେ ସେ କୌଣସି ପ୍ରକାର ପାଟନା ବିମାନ ବନ୍ଦରରେ ପହଞ୍ଚି ଏଠାରୁ ଚେନ୍ନାଇ ଯିବା ପାଇଁ ସ୍ଥିର କରିଥିଲେ । ଯେଉଁଥିପାଇଁ ତାଙ୍କୁ ୧୪ ହଜାର ଟଙ୍କା ବିମାନ ଭଡା ଦେବାକୁ ପଡିଛି ।

ସେହିପରି ପାଟନାରୁ ଦିଲ୍ଲୀ ଯାଉଥିବା ଜଣେ ଯାତ୍ରୀଙ୍କୁ ୭ ହଜାର ୩୦୦ ଟଙ୍କା ଦେବାକୁ ପଡିଛି । ସେ ୪ ଦିନ ପୂର୍ବରୁ ଟିକେଟ ବୁକିଂ କରିଥିଲେ  । କିନ୍ତୁ ତାଙ୍କ ବନ୍ଧୁ ଦିନକ ପୂର୍ବରୁ ଦିଲ୍ଲୀ ପାଇଁ ଟିକେଟ ବୁକ୍‌ କରିଥିବାରୁ ତାଙ୍କୁ ୨୧ ହଜାର ଟଙ୍କା ଗଣିବାକୁ ପଡିଛି  । ପାଟନା, ମୁମ୍ବାଇ ସମେତ କେତେକ ସହରରେ ବିମାନ ଭଡା ମହଙ୍ଗା ହୋଇଛି ।

ଅଗ୍ନିପଥ ତାତିରେ ଟ୍ରେନ ବାତିଲ ଯୋଗୁଁ ପୂର୍ବାପେକ୍ଷା ୩ ଗୁଣ ଅଧିକ ଦାମ ଦେଇ ବିମାନ ଯାତ୍ରା କରୁଛନ୍ତି ଯାତ୍ରୀ  । ଟ୍ରେନ ବନ୍ଦର ପ୍ରଭାବ ଯାତ୍ରୀଙ୍କ ପକେଟ ଉପରେ ପଡିଛି ।