ଘନ କୁହୁଡିରେ ଅସ୍ତବ୍ୟସ୍ତ ଉତ୍ତର ଭାରତ, ବାଧାପ୍ରାପ୍ତ ଟ୍ରେନ ଓ ବିମାନ ଚଳାଚଳ

ନୂଆଦିଲ୍ଲୀ: ଘନ କୁହୁଡ଼ିର ଆସ୍ତରଣ । ଅସ୍ତବ୍ୟସ୍ତ ହୋଇପଡିଛି ଜୀବନଧାରା। ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀରେ ବ୍ୟାପକ ମାତ୍ରାରେ ଜନଜୀବନ ପ୍ରଭାବିତ ହୋଇଛି । ଘନ କୁହୁଡ଼ି ଯୋଗୁଁ ଲୋକେ ଘରୁ ସକାଳୁ ବାହାରି ପାରୁନାହାନ୍ତି । ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

୨୦ରୁ ଅଧିକ ଟ୍ରେନର ଚଳାଚଳ ଚଳାଚଳ ୬ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଛି । ଦିଲ୍ଲୀରେ ବିମାନ ଚଳାଚଳ ମଧ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ପାଲମ ବିମାନବନ୍ଦରରେ ଭିଜିବିଲିଟି ୫୦ରୁ ଶହେ ମିଟର ମଧ୍ୟରେ ରହିଛି। କିଛି ସ୍ଥାନରେ ଭିଜିବିଲିଟି ୫୦ ମିଟରକୁ ଖସି ଆସିଛି । ଦିଲ୍ଲୀର ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୭୫ଟି ବିମାନର ଚଳାଚଳ ବିଳମ୍ବ ହୋଇଛି ।

୫ ବିମାନର ଉଡାଣ ରଦ୍ଦ କରାଯାଇଛି । ଦିଲ୍ଲୀ ଆସୁଥିବା ଏକାଧିକ ବିମାନକୁ ରାଜସ୍ଥାନର ଜୟପୁର, ମୁମ୍ବାଇ ଏବଂ ହାଇଦ୍ରାବାଦକୁ ପରିବର୍ତ୍ତନ କରାଯାଇଛି । କେବଳ ଦିଲ୍ଲୀ ନୁହେଁ, ସାରା ଉତ୍ତର ଭାରତରେ ଶୀତର ରାଜୁତି ଜାରି ରହିଛି । ପଞ୍ଜାବ, ହରିଆଣା, ଚଣ୍ଡୀଗଡ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ କୁହୁଡି ଯୋଗୁ ଜୀବନ ପ୍ରଭାବିତ ହୋଇଛି। ଗତ କିଛି ଦିନ ଧରି ସାରା ଉତ୍ତରଭାରତରେ ଏହି ପରିସ୍ଥିତି ଲାଗି ରହିଛି।