ଦିଲ୍ଲୀ ସୀମାରେ କଣ୍ଟା ପୋତିଲା ପ୍ରଶାସନ, ଟିକାୟତ କହିଲେ ଅକ୍ଟୋବର ଯାଏ ଚାଲିବ ଆନ୍ଦୋଳନ

ଦୂଆଦିଲ୍ଲୀ: ଆନ୍ଦୋଳନ ଅଟକାଇବା ପାଇଁ ଅନ୍ନଦାତାଙ୍କୁ ଟାର୍ଗେଟ । ସୀମାରେ ସମରସଜ୍ଜା ଭଳି ସଜେଇ ହୋଇଛି ଲୁହା ତାର ଓ କଣ୍ଟା ବାଡ଼ । ଅନ୍ୟ ରାଜ୍ୟରୁ ଆସୁଥିବା ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ଦମନମୂଳକ ନୀତି ଆପଣେଇଛି ପ୍ରଶାସନ । ଯାହାକୁ ବିରୋଧ କରି ତାରବନ୍ଦୀ ବନାମ ରୋଟିବନ୍ଦୀର ଡାକରା ଦେଇଛନ୍ତି ଚାଷୀ ।

ଚାଷୀଙ୍କ ସ୍ୱରକୁ ଅଟକାଇବା ପାଇଁ ଦିଲ୍ଲୀ ସୀମା ଏବେ ପାଲଟିଛି କିଲ୍ଲା । ଯେଭଳି ବାହାର ରାଜ୍ୟର ଚାଷୀ ଆନ୍ଦୋଳନରେ ସାମିଲ ନ ହୋଇପାରିବେ ସେଥିପାଇଁ ଏଭଳି ଦମନମୂଳକ ନୀତି ଆପଣେଇଛି ସ୍ଥାନୀୟ ପ୍ରଶାସନ । ସୀମାରେ ଚୀନ୍‌ ଦିନକୁ ଦିନ ହରକତ୍ କରୁଥିବା ବେଳେ ଏହାର ଜବାବ ଦେବା ପରିବର୍ତ୍ତେ ସୀମାରେ ହକ୍ ପାଇଁ ଅଡ଼ି ବସିଥିବା ଅନ୍ନଦାତାଙ୍କୁ ଅଟକାଇବା ପାଇଁ ସରକାରଙ୍କ ଏଭଳି ହୀନଉଦ୍ୟମ । ଯାହାକୁ ବିରୋଧ କରିଛନ୍ତି ବିରୋଧୀ ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ସରକାର ସେତୁ ତିଆରି କରନ୍ତୁ, କାନ୍ଥ ଠିଆ ନକରନ୍ତୁ । ସେପଟେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ ଚାଷୀଙ୍କୁ ଭେଟି ସେମାନଙ୍କର ସମର୍ଥନ ଥିବା ଜଣାଇଛନ୍ତି । ଅପରପଟେ ଚାଷୀ ନେତା ତାରବନ୍ଦୀ ଭର୍ସେସ୍ ରୋଟିବନ୍ଦୀ ଡାକରା ଦେଇ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି । ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ଅନ୍ୟପଟେ ଆରମ୍ଭରୁ ଚାଷୀଙ୍କ ପାଇଁ ତାତିଲା ରାଜ୍ୟସଭା । କୃଷି ଆଇନ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି । ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ସଂସଦରେ ଚାଷୀ ଆନ୍ଦୋଳନ ନେଇ ଜୋର୍‌ଦାର ବର୍ଷିଥିଲେ ବିରୋଧୀ । ହଟ୍ଟଗୋଳ ଯୋଗୁ କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ । ଗୃହ କାର୍ଯ୍ୟ ଆରମ୍ଭରୁ କୃଷି ଆଇନ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ । ହେଲେ ଏହାକୁ ଅଗ୍ରାହ୍ୟ କରି ଅଧ୍ୟକ୍ଷ କହିଥିଲେ, ଏନେଇ ଆଗରୁ ଆଲୋଚନା ହୋଇଛି, ତେଣୁ ଏବେ ଆଲୋଚନାର ଆବଶ୍ୟକତା ନାହିଁ ।

ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅନ୍ନଦାତା । ଆସନ୍ତା ୬ ତାରିଖରେ ଦିନ ୧୨ଟାରୁ ୩ଟା ଯାଏ ସାରା ଦେଶରେ ଚକା ଜାମ୍‌ ପାଇଁ ଘୋଷଣା କରିଛନ୍ତି ଚାଷୀ ସଙ୍ଗଠନ । କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦୁଇ ମାସରୁ ଅଧିକ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି । ଏହା ମଧ୍ୟରେ ୧୧ଥର ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୈଠକ ବସିଥିଲେ ବି ସମାଧାନର କିଛି ବାଟ ବାହାରି ପାରିନି ।

Leave a Reply