ଇନୋଭେସନ୍ ହବରେ ପରିଣତ ହେବ ଫାଇଭ-ଟି ସ୍କୁଲ

1 min read

ଭୁବନେଶ୍ବର: ଫାଇଭ-ଟି ସ୍କୁଲ ଇନୋଭେସନ୍ ହବରେ ପରିଣତ ହେବ । ପୂର୍ବରୁ ଏହି ପ୍ରକଳ୍ପ ଯୋଜନା ଓ ସଂଯୋଜନା ବିଭାଗ କରିଥାନ୍ତା । ହେଲେ ଏହାର ଗୁରୁତ୍ବ ଉପଲବ୍ଧ କରି ବିଜ୍ଞାନ ଓ କାରିଗରୀ ବିଭାଗକୁ ଏହି ଦାୟିତ୍ବ ମିଳିଛି । ପ୍ରଥମ ପର୍ଯ୍ୟାୟରେ ୫୦ଟି ଫାଇଭ-ଟି ହାଇସ୍କୁଲରେ ଇନୋଭେସନ୍ ହବ୍ କରାଯିବ । ଏ ଦିଗରେ ସ୍କୁଲ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବ ବିଜ୍ଞାନ ଓ କାରିଗରୀ ବିଭାଗ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଇନୋଭେସନ୍ କାଉନସିଲ ଗଠନ କରାଯିବ ।

ଅଖ୍ୟାତ ପଲ୍ଲୀରୁ ବାହାରିବେ ବିଖ୍ୟାତ । ଫାଇଭ ଟି ସ୍କୁଲରୁ ବାହରିବେ ଥୋମାସ୍ ଆଲଭା ଏଡିସନ୍ ଓ ସି.ଭି. ରମଣଙ୍କ ପରି ବୈଜ୍ଞାନିକ । ସେମାନଙ୍କୁ ଆଉ ଶିକ୍ଷାଗତ ଯୋଗ୍ୟତା ନେଇ ରିସର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସ୍କୁଲ ସ୍ତରରୁ ହିଁ ବୈଜ୍ଞାନିକ ସୃଷ୍ଟି କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ନୂତନ ଖସଡ଼ା ପ୍ରସ୍ତୁତ କରିଛି । ଫାଇଭ-ଟି ସ୍କୁଲକୁ ଇନୋଭେସନ୍ ହବ୍ କରି ନୂଆ ନୂଆ ଯନ୍ତ୍ରାଂଶ ଓ ବୈଷୟିକ ପ୍ରଣାଳୀ ଆବିଷ୍କାର କରାଯିବ । ଏହା ବୈଜ୍ଞାନିକ ଆବିଷ୍କାରଠାରୁ ଭିନ୍ନ ରହିବ । ସ୍କୁଲରୁ ପିଲାମାନଙ୍କ ଭିତରେ ମେଧା ଓ ଆବିଷ୍କାର କରିବାର ଶକ୍ତିର ବିକାଶ ଦିଗରେ ସହାୟକ ହେବ ଇନୋଭେସନ୍ ହବ୍ । ନ୍ୟାସନାଲ ଇନୋଭେସନ୍ ଫାଉଣ୍ଡେସନ ସହ ସମନ୍ବୟ ରଖି ସେହି ନିର୍ଦ୍ଦେଶାଳୟକୁ ଅନୁସରଣ କରାଯିବ । ଏଥିପାଇଁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମ୍ୟାପିଂ କରାଯିବ । ଯିଏ ଯେଉଁ ବିଷୟରେ ରିସର୍ଚ୍ଚ କରିବ, ତାକୁ ଯେପରି ଅନ୍ୟ ବିଷୟ ବସ୍ତୁର ରିସର୍ଚ୍ଚ ଆଡ଼କୁ ନ ଠେଲା ଯିବ, ତାକୁ ମ୍ୟାପିଂ ଜରିଆରେ ଗୁରୁତ୍ବ ଦିଆଯିବ ।

ଇନୋଭେସନ୍ ହବ୍ ପ୍ରକଳ୍ପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଏଥିପାଇଁ ମ୍ୟାପିଂ ସହ ପ୍ରଶିକ୍ଷଣ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି । ଫାଇଭ-ଟି ସମେତ ଉପାନ୍ତ ସ୍କୁଲ ଗୁଡ଼ିକରେ ବି ଇନୋଭେସନ୍ ହବ୍ ହେଲେ, ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ଛାତ୍ର ବାହାରି ପାରିବା ନେଇ ମତ ପ୍ରକାଶ ପାଇଛି ।