spot_img

Latest Posts

ଅରୁଣାଚଳ ପ୍ରଦେଶରୁ ୫ ଜଣ ବ୍ୟକ୍ତିଙ୍କୁ ଅପହରଣ କରିନେଲା ଚୀନ ସେନା: କଂଗ୍ରେସ MLA ନିନୋଙ୍ଗ ଇରିଂଙ୍କ ଟ୍ୱିଟ୍

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ୫ ଜଣ ଭାରତୀୟ ନାଗରିକଙ୍କୁ ଚୀନ୍ ସେନା ଅପହରଣ କରିଛନ୍ତି ।  କଂଗେସ ବିଧାୟକ ନିନୋଙ୍ଗ ଇରିଂ ଏଭଳି ଦାବି କରିଛନ୍ତି । ସେ କହିଛନ୍ତି  ଯେ, ଚୀନର ସୈନିକ  ଅରୁଣାଚଳ ପ୍ରଦେଶର ୫ ଜଣ ବ୍ୟକ୍ତିଙ୍କୁ ଅପହରଣ କରିନେଇଛନ୍ତି । ସେ ଏହା ଏକ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।  ତେବେ ତାଙ୍କ ଦାବିର କୌଣସି ନିଶ୍ଚିତତା କିମ୍ବା ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କୁ ଟ୍ୟାଗ୍ କରି ସେ ଚୀନ୍‌କୁ ଉଚିତ୍ ଉତ୍ତର ଦେବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଚାରିମାସ ଧରି ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନାମୂଳକ ପରିବେଶ ରହିଛି । ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦୁଇଥର  ସଂଘର୍ଷ ହୋଇସାରିଛି ।

କଣ ଲେଖିଥିଲେ ଟ୍ୱିଟରେ

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଇରିଂ ଲେଖିଛନ୍ତି ଯେ, ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ସୁବସିରୀ ଜିଲ୍ଲାର ୫ ଜଣଙ୍କୁ ଅପହରଣ କରିନେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ ଆଶ୍ଚର୍ଯ୍ୟ କରିବା ଭଳି ଖବର ଏହା ! ଆମ ରାଜ୍ୟ ଅରୁଣାଚଳ ପ୍ରଦେଶର ସୁବାସିରୀ ଜିଲ୍ଲାର ୫ ଜଣ ବ୍ୟକ୍ତିଙ୍କୁ କଥିତ ରୂପରେ ଚୀନର ସୈନ୍ୟ ଅପହରଣ କରିନେଇଛି । କିଛି ମାସ ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ଘଟିଥିଲା । ଚାଇନିଜ କମ୍ୟୁନିଷ୍ଟ୍ ପାର୍ଟୀକୁ ଉଚିତ ଜବାବ ଦେବା ଦରକାର ।’

ଏମିତି କରାଯାଇଥିଲା ଅପହରଣ

ନିନୋଙ୍ଗ ଏକ ସ୍ଥାନୀୟ ଖବରକାଗଜ ଅରୁଣାଚଳ ଟାଇମ୍ସର ଖବର ମଧ୍ୟ ସେୟାର କରିଛନ୍ତି, ଯାହା ଅନୁଯାୟୀ ଅପହରଣ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତି ଟାଗିନ ସମ୍ପ୍ରଦାୟର ଅଟନ୍ତି । କୁହାଯାଉଛି ଯେ, ଏହି ସମସ୍ତ ଲୋକ ନିକଟସ୍ଥ ଜଙ୍ଗଲରେ ଶିକାର କରିବାକୁ ଯାଇଥିଲେ। ଅପହରଣ ହୋଇଥିବା ଗ୍ରାମବାସୀଙ୍କ ନାମ ହେଉଛି ଟୋଚ ସିଙ୍ଗକମ୍, ପ୍ରସାଦ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିୟା, ତନୁ ବେକର ଏବଂ ନର୍ଗୁ ଦିରି। ଏହି ସମୟରେ ଦୁଇଜଣ ଲୋକ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ପରିବାର ଏପର୍ଯ୍ୟନ୍ତ ସେନା କିମ୍ବା ପୋଲିସକୁ ସୂଚନା ଦେଇନାହାଁନ୍ତି । ଗ୍ରାମବାସୀଙ୍କ କହିବାନୁସାରେ, ଶନିବାର ସେନାକୁ ଏବାବଦରେ ସମଗ୍ର ସୂଚନା ଦିଆଯିବ ।

ଅପହୃତ ବ୍ୟକ୍ତିଙ୍କୁ ଫେରାଇ ଆଣିବାକୁ ଅନୁରୋଧ

ଏହି ଘଟଣାକୁ ଗମ୍ଭୀର ରୂପରେ ନେବା ପାଇଁ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ସଂପୃକ୍ତ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ପାଞ୍ଚ ଜଣଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ପରିବାର ଲୋକ ନିବେଦନ କରିଛନ୍ତି । ଭାରତ ଏବଂ ଚୀନ୍ ମଧ୍ୟରେ ୩୪୮୮ କିଲୋମିଟର ସୀମା ଅଛି, ଯାହା ଉତ୍ତର ପୂର୍ବରେ ଅରୁଣାଚଳ ପ୍ରଦେଶରୁ ଆରମ୍ଭ ହୋଇଥାଏ ।

Latest Posts

Don't Miss