୬୧ନଂ କରୋନା ଆକ୍ରାନ୍ତଙ୍କ ସଂପର୍କରେ ଆସିଥିଲେ ବାଲେଶ୍ୱରର ୫ ଆକ୍ରାନ୍ତ

1 min read

ଭୁବନେଶ୍ୱର: ବାଲେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୫ ଜଣ କରୋନା ସଂକ୍ରମିତ ୬୧ ନଂ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଜଣାପଡ଼ିଛି । ସଂକ୍ରମଣକୁ ରୋକିବା ପାଇଁ ବାଲେଶ୍ୱର ସହରର ଦୁଇଟି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଏରିଆ ଭାବେ ଘୋଷଣା କରିଛି । ଏହି ଦୁଇ ଅଞ୍ଚଳକୁ କଠୋର କଟକଣା ଭିତରେ ରଖାଯାଇଛି । କରୋନାକୁ ନେଇ ସତର୍କତା ଜାରି ହେବା ଭିତରେ ବାଲେଶ୍ୱରକୁ ରାଜ୍ୟ ବାହାରୁ ୨୬୦୦ ଜଣ ପ୍ରବେଶ କରିଥିବା ଜିଲ୍ଲା ପ୍ରଶାସନ ପାଖରେ ଖବର ରହିଛି । ଏହି ୨୬୦୦ ଜଣଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ଆରଡିସି ଅନିଲ ସାମଲ କହିଛନ୍ତି ।

ସୀମା ସିଲ୍-

ଓଡ଼ିଶା ପଶ୍ଚିମବଙ୍ଗ ସୀମାକୁ ଆଗରୁ ସିଲ କରାଯାଇଥିଲା, ତେବେ ଗୋଟିଏ ପରେ ଗୋଟିଏ ନୂଆ ମାମଲା ଆସିବାରୁ ସୀମାନ୍ତରେ କଟକଣାକୁ କଡ଼ାକଡ଼ି କରାଯାଇଛି । ପଶ୍ଟିମବଙ୍ଗରୁ ଯେଭଳି କେହି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରି ପାରିବେ ସେଥିପ୍ରତି ନଜର ଦେବାକୁ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ପୋଲିସ ଡିଜି ଅଭୟ ଆଜି ବାଲେଶ୍ୱର ଓ ମୟୁରଭଞ୍ଜ ଗସ୍ତରେ ଅଛନ୍ତି । ବାଲେଶ୍ୱରରେ ସେ ଲକଡାଉନ ସ୍ଥିତି ସମୀକ୍ଷା କରିଛନ୍ତି । ବିଭିନ୍ନ ସ୍ଥାନ, ବାରାକ ଏବଂ ସିଲ ଅଞ୍ଚଳରେ ପୋଲିସ ନିୟୋଜନର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ପଶ୍ଟିମବଙ୍ଗ ଲିଙ୍କ ଥିବାରୁ ପୋଲିସ ଡିଜିଙ୍କ ଗସ୍ତକୁ ଗୁରୁତ୍ୱ ଦିଆଯାଉଛି ।

ଜଣାଇ ରଖୁଛୁ ଯେ ବାଲେଶ୍ୱରରେ ଆଜି ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି  । କାଲି ଚିହ୍ନଟ ହୋଇଥିଲେ ୨, ତା ପୂର୍ବରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଇତି ମଧ୍ୟରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି ଏବଂ ରାଜ୍ୟରେ ମୋଟ୍‌ ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଆକ୍ଟିଭ କେସ୍‌ ଅଛି ।

Leave a Reply