ରୋମାଞ୍ଚକର ମୋଡ଼ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା: ୪୮ ବିଧାୟକଙ୍କ ମଧ୍ୟରୁ ୫ ଜଣଙ୍କ ନାମ ଶର୍ଟଲିଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଏହା ମଧ୍ୟରେ ୧୧ ଦିନ ବିତିସାରିଲାଣି । ଦୀର୍ଘ ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ ଏଥର ମୁଖ୍ୟମନ୍ତ୍ରୀ ଦୌଡ଼କୁ ନେଇ ରୋମାଞ୍ଚ ଦେଖିବାକୁ ମିଳିଛି । ଆଜି ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ବୈଠକ ପରେ ମୁଖ୍ୟମନ୍ତ୍ରୀ ନାମ ଉପରୁ ସସପେନ୍ସ ହଟିଯିବ । ସିଏମ ପଦ ପାଇଁ ୫ ଜଣ ବିଧାୟକଙ୍କ ନାମ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି । ତେଣୁ ଏହି ଲିଷ୍ଟରେ କେଉଁମାନଙ୍କ ନାମ ରହିଛି ତାହା ଜାଣିବାକୁ ଉତ୍ସୁକତା ପ୍ରକାଶ ପାଇଛି ।

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ଶାସନ ଆରମ୍ଭ ହେବାକୁ ଯାଉଛି । ଏହା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀର ମଙ୍ଗ କିଏ ଧରିବ ତାହାକୁ ନେଇ ରାଜେନୖତିକ ମହଲରେ ଚଞ୍ଚଳତା ପ୍ରକାଶ ପାଇଛି । ଡଜନ ଡଜନ ନେତା ସିଏମ ରେସରେ ରହିଥିବା ବେଳେ କିଛି ବଛା ବଛା ନାମକୁ ଫାଇନାଲ ପର୍ଯ୍ୟାୟକୁ ନିଆଯାଇଛି । ତେଣୁ କାହା ମୁଣ୍ଡରେ ହାତୀ ଏଥର ସୁନା କଳସ ଢାଳିବା ତାହାକୁ କେବଳ ଅପେକ୍ଷା ।  ଦଳର ୪୮ ଜଣ ବିଧାୟକଙ୍କ ମଧ୍ୟରୁ ୧୫ ବିଧାୟକଙ୍କ ନାମ ବଛା ଯାଇଥିଲା । ସେହି ୧୫ ବିଧାୟକଙ୍କ ମଧ୍ୟରୁ ପୁଣି ୫ ଜଣ ବିଧାୟକଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିବା କୁହାଯାଉଛି । ଏହି ୫ ଜଣଙ୍କ ମଧ୍ୟରୁ ଦଳ ଜଣଙ୍କୁ ସିଏମ ଗାଦିରେ ବସାଇବ ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶହ ସର୍ବଦା କିଛି ବଡ଼ ନିଷ୍ପତ୍ତି ନେଇ ସଭିଙ୍କୁ ଚମକାଇ ଦେଇଥାନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଯେଉଁ ୫ ଜଣ ରହିଛନ୍ତି ସେମାନେ ହେଉଛନ୍ତି ଆଶୀଷ ସୁଦ, ଅଜୟ ମହାବର, ରବିନ୍ଦ୍ର ଇନ୍ଦ୍ରରାଜ, ଅନିଲ ଗୋୟଲ, ରାଜକୁମାର ଭାଟିୟା । ଏଥିସହିତ ଦିଲ୍ଲୀର କିଛି ସାଂସଦଙ୍କ ନାମ ମଧ୍ୟ ରେସରେ ରହିଛି । ତେଣୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଘୋଷଣା ପରେ ହିଁ ସ୍ପଷ୍ଟ ହେବ ।