IPL ଇତିହାସର ୫ଟି ବଡ଼ ବିବାଦ: କେଉଁ ସିଜିନରେ ଘଟିଥିଲା କେଉଁ ଘଟଣା?
1 min read
ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଶୁଭାରମ୍ଭ ହେବ । କୋଲକତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ମେ ୨୫ରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଖେଳାଯିବ । ଏଥର ୧୦ଟି ଟିମ ମଧ୍ୟରେ ଫାଇନାଲ ସମେତ ୭୪ଟି ମ୍ୟାଚ ଖେଳାଯିବ । ତେବେ ଆଇପିଏଲର ଇତିହାସ ଯେତିକି ରୋଚକ, ସେତିକି ବିବାଦରେ ମଧ୍ୟ ଭରି ରହିଛି । ପ୍ରଥମରୁ ୧୭ତମ ସିଜିନ ମଧ୍ୟରେ ଅନେକ ବିବାଦ ଦେଖିବାକୁ ମିଳିଥିଲା ।
(୧) ଆଇପିଏଲ ୨୦୧୩ରେ ହରଭଜନ ସିଂହ ଓ ଏସ. ଶ୍ରୀସନ୍ଥଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ମୁମ୍ବାଇ ଓ ପଞ୍ଜାବ ମ୍ୟାଚରେ ମୁମ୍ବାଇ ହାରିବା ପରେ ଶ୍ରୀସନ୍ଥ ହରଭଜନଙ୍କୁ ’ହାର୍ଡଲକ’ ବୋଲି କହିଥିଲେ । ଏହାପରେ ପଡ଼ିଆରେ ଭଜି ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ । ଏହି ହରକତ ପାଇଁ ଭଜିଙ୍କୁ ବିସିସିଆଇ ୫ଟି ଦିନିକିଆରୁ ବାହାର କରିଦେଇଥିଲା । ମାତ୍ର ଦୁହେଁ ଭଲ ବନ୍ଧୁ ପାଲଟି ଯାଇଥିଲେ ।
(୨) ଆଇପିଏଲରେ ଫ୍ରଞ୍ଚାଇଜିମାନେ ଖେଳାଳିମାନଙ୍କୁ ଲୋଭନୀୟ ଅଫର ଦେଉଥିବା ବେଳେ କିଛି ଖେଳାଳି ଫସିଯାଇଥାନ୍ତି ଓ ଆଉ କିଛି ଇମାନଦାର ରହିଥାନ୍ତି । ଏପରି ଭାବେ ଫସିଥିଲେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା । ଜାଡ଼େଜା ରାଜସ୍ଥାନ ପାଇଁ ଖେଳୁଥିବା ବେଳେ ନିଜର ଫ୍ରାଞ୍ଚାଇଜିକୁ ନ ବତାଇ ମୁମ୍ବାଇ ସହ ଯୋଡ଼ିହେବାକୁ ପ୍ରୟାସ କରିଥିଲେ । ଏହି ଖବର ରାଜସ୍ଥାନ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପାଇବା ପରେ ଜାଡ଼େଜା ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ତାଙ୍କୁ ୧ ବର୍ଷ ପାଇଁ ବ୍ୟାନ କରାଯାଇଥିଲା ।
(୩) ୨୦୧୩ ସିଜିନ ସ୍ପଟ ଫିକ୍ସିଂ ଓ ବେଟିଂକୁ ନେଇ ଚର୍ଚ୍ଚାରେ ରହିଥିଲା । ଏହାଛଡ଼ା ବେଟିଂ ମାମଲାରେ ଚେନ୍ନାଇର ମାଲିକ ଏନ ଶ୍ରୀନିବାସନଙ୍କ ଜ୍ବାଇଁ ଗୁରୁନାଥ ମୟପ୍ପନ ଓ ରାଜସ୍ଥାନ ରୟାଲ୍ସର ମାଲିକ ରାଜ କୁନ୍ଦ୍ରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେଥିପାଇଁ ରାଜସ୍ଥାନ ଓ ଚେନ୍ନାଇକୁ ଦୁଇ ବର୍ଷ (୨୦୧୬-୨୦୧୭) ପାଇଁ ବ୍ୟାନ କରାଯାଇଥିଲା ।
(୪) ଆଇପିଏଲ ପରି ବଡ଼ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ଲଲିତ ମୋଦୀ କରିଥିଲେ । ମାତ୍ର ୩ଟି ସିଜିନ ପରେ ମୋଦୀଙ୍କୁ ବାହାର କରି ଦିଆଯାଇଥିଲା । ମୋଦୀଙ୍କ ଉପରେ ଆଇପିଏଲର ଅର୍ଥ ହେରଫେର ନେଇ ଅଭିଯୋଗ ଆସିଥିଲା । ସୋନି ବ୍ରଡକାଷ୍ଟ ଡିଲ, ପଞ୍ଜାବ ଓ ରାଜସ୍ଥାନର ସନ୍ଦେହାତ୍ମକ ନିଲାମୀ ଆଦି ୫ଟି ବଡ଼ ମାମଲାରେ ମୋଦୀ ଅଭିଯୁକ୍ତ ଥିଲେ ।
(୫) ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିବାଦ କାହାକୁ ଅଛପା ନାହିଁ । ଏପରି ଏକ ସିଜିନରେ ଦୁହେଁ ପଡ଼ିଆରେ ମୁହାଁମୁହିଁ ହୋଇଥିଲେ । ୨୦୨୩ ସିଜିନରେ ଖେଳାଯାଇଥିବା ଏକ ମ୍ୟାଚରେ ଲକ୍ଷ୍ନୌକୁ ୧୮ ରନରେ ବେଙ୍ଗାଲୁରୁ ପରାସ୍ତ କରିଥିଲା । ଉକ୍ତ ମ୍ୟାଚ ପରେ ହାତ ମିଳାଇବା ସମୟରେ ବିରାଟ ଓ ଲକ୍ଷ୍ନୌର ଦ୍ରୁତ ବୋଲର ନବୀନ ଉଲ ହକ ଦ୍ବିତୀୟ ଥର ମୁହାଁମୁହିଁ ହୋଇଥିଲେ । ସେହି ସମୟରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।