ଦୁଇମାସର କଟକଣା ପରେ ପୁଣି ସମୁଦ୍ରକୁ ବାହାରିଲେଣି ମତ୍ସ୍ୟଜୀବୀ

ବାଲେଶ୍ବର : ଚାଲିଛି ପୂଜାର୍ଚ୍ଚନା । ଗଦା ହେଲାଣି ବରଫ । ଟ୍ରଲର ପ୍ରସ୍ତୁତ, ମତ୍ସ୍ୟଜୀବୀ ବି ତୟାର । ପୁଣି ଗୋଦାମରେ ଗଦା ହେବ ଲୁଣି ମାଛ । ଶସ୍ତା ହେବ ଇଲିସି, ଚିଙ୍ଗୁଡ଼ି ପରି ଲୁଣି ମାଛ । ଦୁଇମାସର କଟକଣା ପରେ ପୁଣି ମାଛ ମାରିବାକୁ ପ୍ରସ୍ତୁତ ହେଉଛନ୍ତି ମତ୍ସ୍ଯଜୀବୀ । ମାଛଙ୍କ ପ୍ରଜନନ ଋତୁ ଥିବାରୁ ଏପ୍ରିଲ ୧୫ରୁ ଜୁନ ୧୫ ଯାଏଁ ଦୁଇମାସ ସମୁଦ୍ରରୁ ମାଛ ମାରିବା ଉପରେ ଲାଗିଥିଲା କଟକଣା । ମତ୍ସ୍ୟ ବିଭାଗ କଟକଣା ହଟାଇବା ପରେ ପୁଣି ସମୁଦ୍ରକୁ ଯିବାକୁ ବାହାରିଛନ୍ତି ଟ୍ରଲର । ରବିବାର ଠାରୁ କଟକଣା ହଟୁଥିବାରୁ ଟ୍ରଲର ଗୁଡ଼ିକ ସେମାନଙ୍କ ଟ୍ରାଏଲ ବି ଆରମ୍ଭ କରିଦେଇଛନ୍ତି । ବାଲେଶ୍ବରର ବଳରାମଗଡ଼ିରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଟ୍ରଲର ପାଇଁ ଇନ୍ଧନ, ଖାଦ୍ଯ, ଜାଲ, ବରଫ ନେଇ ପହଞ୍ଚିଲେଣି ମତ୍ସ୍ଯଜୀବୀ । ଚଳିତ ବର୍ଷ ଭଲ ମାଛ ପଡ଼ିବା ନେଇ ଆଶା କରିଛନ୍ତି ଟ୍ରଲର ମାଲିକ ।
ଗୋଟିଏ ଗୋଟିଏ ଟ୍ରଲର ୫ଶହରୁ ୫ଶହ ଜାଲି ମାଛ ସଂଗ୍ରହ କରିଥାନ୍ତି । ଏଥିପାଇଁ ୧୦ ରୁ ୧୫ ଦିନ ସମୁଦ୍ର ମଧ୍ୟରେ ରାତି କାଟିବାକୁ ପଡ଼ିଥାଏ । ତେଣୁ ସିଜନ ଆରମ୍ଭରୁ ଟ୍ରଲର ସମୁଦ୍ରକୁ ଯିବାପାଇଁ ୫ ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । ଏଥର ସମୁଦ୍ରରେ ଅଧିକ ମାଛ ପଡ଼ିଲେ ଖର୍ଚ୍ଚ ବାହାରିବା ସହ ଦୁଇପଇସା ଲାଭ ହେବ ବୋଲି କହିଛନ୍ତି ମତ୍ସ୍ୟଜୀବୀ । ଦୁଇ ମାସ ହେବ ସମୁଦ୍ର ମାଛ ବଜାରକୁ ଅସୁନଥିବାରୁ ବଜାର ଦର ଚଢ଼ା ରହିଛି । ତେବେ ଏବେ ପୁଣି ଫିସିଂ ଆରମ୍ଭ ହେଲେ ଦର କମିବ ବୋଲି ଆଶା ରଖିଛନ୍ତି ଗ୍ରାହକ ।