ନନ୍ଦିଘୋଷ ବ୍ୟୁରୋ : ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସି ରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଆଜି ଠୁ ଲାଗିଲା କଟକଣା । ନଭେମ୍ବର ୧ ରୁ ଆସନ୍ତା ବର୍ଷ ମେ ୩୧ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ ୧୦ କିଲୋମିଟର ଏବଂ ଦକ୍ଷିଣ ପାର୍ଶ୍ୱ ୧୦ କିଲୋମିଟର ପରିମିତ ସ୍ଥାନ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି । ଏହି ସ୍ଥାନ ମାନଙ୍କରେ ଡ଼ଙ୍ଗା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମାଛଧରା ନିଷେଧ ଅଞ୍ଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିୟମଭଙ୍ଗକାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଅସ୍ତରଙ୍ଗ ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି । କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅସ୍ତରଙ୍ଗ ବନବିଭାଗ ତରଫରୁ ହାଚେରୀ କରାଯାଇଛି । ଗଙ୍ଗାଦେବୀ, ଦେବୀନାସି, ଡ଼ାଳୁଅକଣି, ଜାହାନିଆ ,କୂଅରପୁର ଓ ଚନ୍ଦ୍ରଭାଗାରେ ହାଚେରୀ କରାଯାଇଛି ।

