ସୁନ୍ଦରବନରେ ବାଘ ଆକ୍ରମଣରେ ମତ୍ସ୍ୟଜୀବୀ ମୃତ

କୋଲକାତା: ସୁନ୍ଦରବନରେ ବାଘ ଆକ୍ରମଣ । କଙ୍କଡା ଧରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଝାମ୍ପି ନେଲା ବାଘ । ଘଟଣାସ୍ଥଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲା ସ୍ଥିତ କୁଲତଳି ବ୍ଲକ୍ ଦେଉଳ ବାଡ଼ିର ତିନି ଜଣ ଲୋକ ସୁନ୍ଦରବନର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ୪ ଦିନ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ । ଡଙ୍ଗା ଭର୍ତ୍ତି କରି କଙ୍କଡା ନେଇ ଫେରୁଥିବା ବେଳେ ହଠାତ୍ ଜଙ୍ଗଲରୁ ଗୋଟିଏ ବାଘ ଆସି ବାସୁଦେବ ବୈଦ୍ୟ ନାମକ ବ୍ୟକ୍ତିକୁ ଝାମ୍ପି ନେଇ ଥିଲା ।

ବାଘଟି ବାସୁଦେବକୁ ଜଙ୍ଗଲ ଭିତରକୁ ଟାଣି ନେଇ ଯାଇଥିଲା । ସାଙ୍ଗରେ ଥିବା ଦୁଇଜଣ ବ୍ୟକ୍ତି ଲାଠି ଧରି ବାଘର ପିଛା କରିଥିବା ବେଳେ କିଛି ଦୂରରେ ବାସୁଦେବର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସୁନ୍ଦରବନ ଜଙ୍ଗଲ ବିଭାଗ ସହ ବହୁ ଏନଜିଓ ସଂସ୍ଥା ସୁନ୍ଦରବନ ନଯିବା ପାଇଁ ପରାମର୍ଶ ଦିଅନ୍ତି । ହେଲେ ତାଙ୍କ କଥା କେହି ନଶୁଣୁନଥିବା ଅଭିଯୋଗ ହୋଇଛି ।