ଧରାପଡିଲା ଗୁଇନ୍ଦା ପାରା: ଗୋଡ଼ରେ ଟ୍ୟାଗ୍, ପରରେ ଲେଖାଯାଇଛି ବିଦେଶୀ ଭାଷା

1 min read

କେନ୍ଦ୍ରାପଡ଼ା: ଗୋଡ଼ରେ ଟ୍ୟାଗ୍ ଲାଗିଥିବା ଏକ ପାରାକୁ ଧରିଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ମତ୍ସ୍ୟଜୀବୀ । ପାରାଟି ଗୁଇନ୍ଦା ପାରା ବୋଲି ସନ୍ଦେହ କରାଯାଉଛି । ଜମ୍ବୁ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ବୋଟ୍ ନେଇ ଗଭୀର ସମୁଦ୍ରକୁ ଯାଇଥିଲେ । ସେହି ସମୟରେ ସେହି ପାରାଟି ବୋଟରେ ବସିଥିଲା । ପାରା ଗୋଡ଼ରେ ଲାଗିଛି ଟ୍ୟାଗ। ପାରାଟିକୁ ଧରିଛନ୍ତି ମତ୍ସ୍ୟଜୀବୀ ।

ପାରାର ଗୋଟିଏ ଗୋଡରେ ଥିବା ଟ୍ୟାଗରେ CHN-୧୯-୨୦୨୪ ମସିହା ଲେଖା ଥିବା ସହିତ ୯୮୮୮୨୨ ଲେଖା ହୋଇଛି । ଅନ୍ୟ ଏକ ଗୋଡ଼ରେ କଳା ରଙ୍ଗର ଏକ ଟ୍ୟାଗ ଲାଗିଛି । ଡେଣାରେ ଥିବା ପରରେ ବିଦେଶୀ ଭାଷା ଲେଖା ହୋଇଥିବା ବୋଟ୍ ମାଲିକ ରତନ କହିଛନ୍ତି ।

ପାରାଟିକୁ ଧରିବା ପରେ ସେମାନେ ତାକୁ ନେଇ ଜମ୍ବୁ ଥାନାକୁ ଯାଇଥିଲେ । ପରେ ତାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଧରାପଡ଼ିଥିବା ପାରାର ଟ୍ୟାଗରେ କ’ଣ ଅଛି ? ଯାହା ଲେଖା ଯାଇଛି, ତାର ଅର୍ଥ କ’ଣ ? କିଏ କାହାକୁ କିଛି ସନ୍ଦେଶ ପଠାଉଥିଲା କି ? ସେ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।