ସ୍ବୀକାର କଲା ପାକିସ୍ତାନ, ୧୯୯୯ କାରଗିଲରେ ଭାରତ ବିରୋଧରେ ଲଢିଥିଲା ଯୁଦ୍ଧ

1 min read

ନନ୍ଦିଘୋଷ ବ୍ୟୁରୋ: ୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ । ୧୯୯୯ କାରଗିଲ ଯୁଦ୍ଧରେ ପାକିସ୍ତାନ ଲଢିଥିବା ନେଇ ପ୍ରଥମ ଥର ଲାଗି ସ୍ବୀକାର କଲା ପାକିସ୍ତାନ ସେନା । ପାକିସ୍ତାନର ସେନା ମୁଖ୍ଯ ଜେନେରାଲ ଆସିମ ମୁନିରଙ୍କ ଏହି ସ୍ବୀକାରୋକ୍ତି ଚହଳ ସୃଷ୍ଟି କରିଛି । ପାକିସ୍ତାନର ପ୍ରତିରକ୍ଷା ଦିବସ ଅବସରରେ ଉଦବୋଧନ ଦେଇ ସେ ଏହି ପ୍ରସଙ୍ଗ ଉତଥାପନ କରିଛନ୍ତି । ରାଓଲପିଣ୍ଡିରେ ସେ କହିଛନ୍ତି ୧୯୪୮, ୧୯୬୫, ୧୯୭୧ ଓ କାରଗିଲ ଯୁଦ୍ଧ ଭାରତ ସହ ଲଢିଛି ପାକିସ୍ତାନ । ଅନ୍ଯ ତିନି ଯୁଦ୍ଧ ସହ ସେ ପ୍ରଥମ ଥର ଲାଗି କାରଗିଲ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ । ଏହି ସମସ୍ତ ଯୁଦ୍ଧରେ ହଜାର ହଜାର ଯବାନ ସହିଦ ହୋଇଥିଲେ । ୧୯୯୯ ମେ ମାସରୁ ଜୁଲାଇ ମଧ୍ଯରେ ହୋଇଥିବା କାରଗିଲ ଯୁଦ୍ଧରେ ପାକିସ୍ତାନ ବାହିନୀ ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଅତିକ୍ରମ କରି କାରଗିଲ ଜିଲ୍ଲାରେ ପ୍ରବେଶ କରିଥିଲେ । ଏହା ବିରୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ ବିଜୟ । ପ୍ରଥମେ କାରଗିଲ ଅନୁପ୍ରବେଶକାରୀଙ୍କୁ କାଶ୍ମୀରୀ ସ୍ବାଧୀନତା ସଂଗ୍ରାମୀ ବା ମୁଜାହିଦ୍ଦିନଙ୍କ କାଣ୍ଡ ବୋଲି କହିଆସୁଥିଲା ପାକିସ୍ତାନ । ଏହା ସହ ଅନୁପ୍ରବେଶ କ୍ଷେତ୍ରରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି କହୁଥିଲା । ମୁନିର ଆହୁରି କହିଛନ୍ତି- କାରଗିଲର ବିଭିନ୍ନ ପୋଷ୍ଟକୁ ଆଦିବାସୀ ନେତାମାନେ ଦଖଲ କରିଥିବାବେଳେ ପାକିସ୍ତାନ ବାହିନୀ ସକ୍ରିୟ ଭାବେ ସେଠାରେ ପାଟ୍ରୋଲିଂ କରୁଥିଲା । ବଡ଼କଥା ହେଉଛି ଏହି ଦୋଷ ଲୁଚାଇବା ଲାଗି ସେତେବେଳେ ନିହତ ହୋଇଥିବା ସୈନିକଙ୍କ ଶବକୁ ଗ୍ରହଣ କରିବା ଲାଗି ଅଗ୍ରାହ୍ୟ କରିଥିଲା ପାକିସ୍ତାନ । ଏକଥା ସତ୍ଯ ଯେ କାରଗିଲ ଯୁଦ୍ଧରେ ପାକିସ୍ତାନର ହାତ ଥିଲା । ମାତ୍ର ପାକିସ୍ତାନ ଏହାକୁ ସ୍ବୀକାର କରୁ ନଥିଲା । ମାତ୍ରେ ସେନାଧ୍ଯକ୍ଷ ଏହାକୁ ସ୍ବୀକାର କରିବା ଚର୍ଚ୍ଚାର କାରଣ ହୋଇଛି । କାରଗିଲ ଯୁଦ୍ଧ ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନଓ୍ବାଜ ସରିଫ ଏହି ଅପରସେନକୁ ସମାଲୋଚନା କରିବା ସହ ଏହା ଏକ କୌଶଳଗତ ଅକ୍ଷମଣୀୟ ଭୁଲ୍ ଓ ରାଜନୈିତିକ ବିପର୍ଯ୍ୟୟ ବୋଲି ଦର୍ଶାଇଥିଲେ । ଏପରିକି କାରଗିଲ ଆକ୍ରମଣ ପ୍ରସଙ୍ଗରେ କେବଳ ଜେନେରାଲ ପରଭେଜ ମୁଶାରଫ ଓ ଅନ୍ଯ ତିନି ଜଣ ଜାଣିଥିଲେ ଏବଂ ବାୟୁସେନା ମୁଖ୍ଯ, ନୌସେନା ମୁଖ୍ଯ ଓ ଏପରିକି ପ୍ରଧାନମନ୍ତ୍ରୀ ଅବଗତ ନଥିଲେ ବୋଲି କୁହାଯାଉଛି । ଏହି ଯୁଦ୍ଧରେ ଭାରତର ୫୨୭ ଯବାନ ପ୍ରାଣ ହରାଇଥିଲେ । ପାକିସ୍ତାନର ପ୍ରାୟ ୪ ହଜାର ଯବାନ ପ୍ରାଣ ହରାଇଥିଲେ ବୋଲି କୁହାଯାଇଛି । ତେବେ ପାକିସ୍ତାନ ପକ୍ଷର ମୃତ୍ଯୁ ସଂଖ୍ଯା ୭୦୦ ବୋଲି ଆମେରିକା କହିଆସୁଛି ।