ଦଙ୍ଗାରେ ପୁଅକୁ ହରାଇଥିଲେ, ପ୍ରଥମ ଥର ବିଧାୟକ ହୋଇ ଦୋଷୀଙ୍କୁ ଦଣ୍ଡ ଦେବେ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନରେ ବାଜି ଲେଉଟାଇ ବଡ ବିଜୟ ହାସଲ କରିଛି ବିଜେପି  । ୯୦ ଆସନରୁ ୫୪ଟି ସିଟ୍‌ କବଜା କରିଛି ବିଜେପି  । ଏହି ନିର୍ବାଚନରେ ଡେପୁଟି ସିଏମଙ୍କ ସହ ୯ ଜଣ ମନ୍ତ୍ରୀ ପରାଜୟ ହୋଇଛନ୍ତି  । ଅଧିକାଂଶ ସିଟ୍‌ରେ କଡା ମୁକାବଲା ଦେଖିବାକୁ ମିଳିଛି ତ ପୁଣି କେଉଁଠି ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି  । ସେମିତି ଏକ ଆସନ ହେଉଛି ବେମେତରା ଜିଲ୍ଲା ସାଜା ବିଧାନସଭା ସିଟ୍‌  ।

କଂଗ୍ରେସର ବରିଷ୍ଠ ନେତା ତଥା ସାତ ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଛନ୍ତି ପ୍ରଥମ ଥର ନିର୍ବାଚନ ଲଢିଥିବାଇଶ୍ବର ସାହୁ  । ୫ ହଜାରରୁ ଅଧିକ ଭୋଟରେ କଂଗ୍ରେସ ନେତାଙ୍କୁ ମାତ୍‌ ଦେଇଛନ୍ତି ଇଶ୍ବର  ।

କିଏ ଏହି ଇଶ୍ବର ସାହୁ ?

ଚଳିତବର୍ଷ ସାଜା ବିଧାନସଭାର ବିରନପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା  । ଏକ ସ୍କୁଲରୁ ଆରମ୍ଭ ହୋଇଥିବା ମାରପିଟ୍‌ ଗୋଷ୍ଠୀ ସଂଘର୍ଷରେ ବଦଳି ଯାଇଥିଲା . ସାମ୍ପ୍ରଦାୟକ ହିଂସାରେ ୩ ଜଣ ପ୍ରାଣ ହରାଇଥିଲେ  । ମୃତକଙ୍କ ମଧ୍ୟରେ ଜଣେ ଥିଲେ ଇଶ୍ବରଙ୍କ ପୁଅ ଭୁବନେଶ୍ବର ।ସରକାର ଇଶ୍ବର ସାହୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ  । କିନ୍ତୁ ଇଶ୍ବର ସାହୁ ଏହା ନେବା ପାଇଁ ମନା କରିଦେଇଥିଲେ  ।

 

ସାଜା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଇଶ୍ବର ସାହୁଙ୍କ ପାଇଁ ପ୍ରଚାର କରିଥିଲେ  । ସେତେବେଳେ ଶାହା କହିଥିଲେ ଯେ ଇଶ୍ବର ସାହୁ ଜଣେ ଆଶାୟୀ ନୁହେଁ ବରଂ ନ୍ୟାୟ ଲଢେଇର ପ୍ରତୀକ  । ଯଦି ବିଜେପି ପୁଣିଥରେ ସରକାର ଗଢିବ ଇଶ୍ବର ସାହୁଙ୍କ ପୁଅ ହତ୍ୟାକାରୀଙ୍କୁ ପ୍ରଥମେ ଜେଲ ପଠାଯିବ  ।