ଭାରତ ପାଖରେ ବହୁତ ଅର୍ଥ ଅଛି, ଆମେ ତାଙ୍କୁ କାହିଁକି ଦେବୁ ? ଭୋଟିଂ ବୃଦ୍ଧି ପାଇଁ ଦିଆଯାଉଥିବା ଫଣ୍ଡ ଉପରେ ରୋକ ପରେ ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା
1 min read
ଭାରତରେ ଭୋଟର ଟର୍ଣ୍ଣଆଉଟ ବୃଦ୍ଧି ପାଇଁ ଆମେରିକା ତରଫରୁ ୨୧ ମିଲିୟନ ଡଲାର ଅର୍ଥ ଦିଆଯାଉଥିଲା । ତେବେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ସରକାରୀ ଦକ୍ଷତା ବିଭାଗ ଏହି ଫଣ୍ଡକୁ ରଦ୍ଦ କରିଦେଇଥିଲା । ସବୁଠାରୁ ବଡ଼ କଥା ହେଉଛି, ଏହାକୁ ଟ୍ରମ୍ପ ସମର୍ଥନ କରିଥିଲେ । କେବଳ ସେତିକି ନୁହେଁ, ଭାରତକୁ ଏତେ ବେଶି ଅର୍ଥ ଦିଆଯିବା ନେଇ ମଧ୍ୟ ଟ୍ରମ୍ପ ପ୍ରଶ୍ନ କରିଥିଲେ । ଫ୍ଲୋରିଡ଼ା ସ୍ଥିତ ନିଜର ମାର-ଏ-ଲାଗୋ ବାସଭବନରେ ଟ୍ରମ୍ପ ପ୍ରଶ୍ନ କରିଥିଲେ ଯେ, ଭାରତ ପାଖରେ ବହୁତ ଅର୍ଥ ରହିଥିବା ବେଳେ ଭାରତକୁ ୨୧ ମିଲିୟନ ଡଲାର (୧୮୨ କୋଟି ଟଙ୍କା) କାହିଁକି ଦିଆଯାଉଛି ? ଆମେରିକା ସରକାର ବିଭିନ୍ନ ଦେଶରେ ଚାଲୁଥିବା ୟୁଏସ ଏଡ ପ୍ରୋଗ୍ରାମକୁ ବନ୍ଦ କରିଦେଇଛନ୍ତି ।
ଟ୍ରମ୍ପ କହିଛନ୍ତି, ଆମେ ଭାରତକୁ ୨୧ ମିଲିୟନ ଡଲାର କାହିଁକି ଦେଉଛୁ? ଭାରତ ପାଖରେ ତ ପୂର୍ବରୁ ବହୁତ ଅର୍ଥ ରହିଛି । ଦୁନିଆରେ ସର୍ବାଧିକ ଟ୍ୟାକ୍ସ ଲଗାଉଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ । ଆମେ ସେଠାରେ ମୁସ୍କିଲରେ ପହଞ୍ଚି ପାରୁଛେ, କାରଣ ସେମାନଙ୍କର ଟାରିଫ ବହୁତ ଅଧିକ ଅଟେ । ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ଭାରତରେ ଭୋଟର ଟର୍ଣ୍ଣଆଉଟ ପାଇଁ ୨୧ ମିଲିୟନ ଡଲାର କାହିଁକି? ଆମର ଏଠାକାର ଭୋଟର ଟର୍ଣ୍ଣଆଉଟ କ’ଣ ହେବ? ଟ୍ରମ୍ପ ଏହି ବୟାନ ଦେବା ସହ ଭାରତ ତରଫରୁ ଲାଗୁ ହେଉଥିବା ଟାରିଫ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।
ଯେତେବେଳେ ଆମେରିକାର ସରକାରୀ ଦକ୍ଷତା ବିଭାଗ (DODGE) ଫେବୃଆରୀ ୧୬ରେ ଭାରତକୁ ଦିଆଯାଉଥିବା ୨୧ ମିଲିୟନ ଡଲାର ଅନୁଦାନକୁ ରଦ୍ଦ କରିଦେଇଥିଲେ, ସେତେବେଳେ ଏହି ବିବାଦ ଆରମ୍ଭ ହୋଇଥିଲା । ଏକ୍ସରେ କରାଯାଇଥିବା ଏକ ପୋଷ୍ଟରେ DODGE ତରଫରୁ ବିଭିନ୍ନ ବିଦେଶୀ ସହାୟତା କାର୍ଯ୍ୟକ୍ରମକୁ ଅନାବଶ୍ୟକ ଓ ଅତ୍ୟଧିକ ବୋଲି କୁହାଯାଇ ରଦ୍ଦ କରାଯାଇଥିଲା । ସେଥିରେ ଭାରତରେ ମତଦାତା ମତଦାନ ପ୍ରୋଜେକ୍ଟ ସବୁଠାରୁ ଉପରେ ରହିଥିଲା । ଆମେରିକୀୟ କରଦାତାଙ୍କ ଡଲାର ବିଭିନ୍ନ ସାମଗ୍ରୀ ଉପରେର ଖର୍ଚ୍ଚ କରୁଥିଲା, ମାତ୍ର ଏବେ ତାହାକୁ ରଦ୍ଦ କରାଗଲା ବୋଲି DODGE ତରଫରୁ ଏକ ବୟାନରେ କୁହାଯାଇଥିଲା ।