ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ, ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨୮୦ ପ୍ରାର୍ଥୀ

ଭୁବନେଶ୍ବର: ଓଡ଼ିଶାରେ ଗଣତନ୍ତ୍ରର ମହାନ ପର୍ବ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ଭୋଟ୍ ଗ୍ରହଣ ଆରମ୍ଭ । ଦେଶର ଚତୁର୍ଥ ତଥା ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଆଜି ଭୋଟ ଦେବା ଆରମ୍ଭ କଲା ଓଡ଼ିଶା । ସକାଳ ୭ଟାରୁ ରାଜ୍ଯର ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନମଣ୍ଡଳିରେ ମତଦାନ ଆରମ୍ଭ ହୋଇଛି ।

ଉଭୟ ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ୨୮୦ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରୁଛନ୍ତି ୬୨ ଲକ୍ଷ ୮୭ ହଜାରରୁ ଅଧିକ ଭୋଟର । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ମଇଦାନରେ ଅଛନ୍ତି ୨୪୩ ଜଣ ପ୍ରାର୍ଥୀ ।

ଆଜି ୬୨ ଲକ୍ଷ ୮୭ ହଜାରରୁ ଅଧିକ ଭୋଟର ମତଦାନ କରୁଛନ୍ତି । ଏମାନଙ୍କ ମଧ୍ଯରେ ୩୦ ଲକ୍ଷ ୯୭ ହଜାର ପୁରୁଷ ଓ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ରହିଛନ୍ତି । ତାଲିକାରେ ଅଛନ୍ତି ୧ ଲକ୍ଷ ୭୫ ହଜାର ଯୁବ ଭୋଟର । ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରାଯାଉଛି | ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ହୋଇଛି ।

କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ଥିବାବେଳେ ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ଓ ଧର୍ମଗଡ଼ ବିଧାନସଭାରେ ସର୍ବାଧିକ ଭୋଟର ଅଛନ୍ତି । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି ୩୬୩୬ ଭୋଟର ।