ଭାରତରେ ମୁଣ୍ଡ ନେଲା ଓମିକ୍ରନ

ନୂଆଦିଲ୍ଲୀ: ବଢ଼ିଲା ଟେନସନ୍ । ଭାରତରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ । ମୃତକ ଜଣଙ୍କ ମହାରାଷ୍ଟ୍ରର ହୋଇଥିବା ସୂଚନା । ସେପଟେ ଦେଶରେ ଆରମ୍ଭ ହେଲାଣି ତୃତୀୟ ଲହର । ଏବେଠୁ ସତର୍କ ନହେଲେ ଆଗକୁ ବିଗିଡ଼ିଯିବ ସ୍ଥିତି । ଦିଲ୍ଲୀ ଓ ମୁମ୍ବାଇରେ ଦ୍ରୁତଗତିରେ ମାଡି ଚାଲିଛି ଓମିକ୍ରନ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଦେଶର ୧୪ ସହରରେ ସଂକ୍ରମଣ ଗ୍ରାଫ୍ ବଢୁଥିବା ବେଳେ ହଜାରେ ପାଖାପାଖି ହେଲାଣି ଓମିକ୍ରନ କେସ୍ । ଅଧିକ ସଂକ୍ରମିତ ହେଉଥିବା ୮ ରାଜ୍ୟକୁ କେନ୍ଦ୍ର ଚିଠି ଲେଖି ସତର୍କ କରାଇଛନ୍ତି । ଦିଲ୍ଲୀରେ ମୋଟ ମାମଲା ମଧ୍ୟରୁ ୪୬ ପ୍ରତିଶତ ଓମିକ୍ରନ କେସ୍ । ଦିଲ୍ଳୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁରେ ବି ଅଣାୟତ ହେବାରେ ଲାଗିଛି ସଂକ୍ରମଣ । କେରଳରେ ସର୍ବାଧିକ ଆକ୍ଟିଭ୍ କେସ୍ ରହିଥିବା ବେଳେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ପଜିଟିଭିଟି ରେଟ୍ ବଢିଛି ।

ସଂକ୍ରମଣକୁ ମାତ୍‌ ଦେବାକୁ ଟିକାକରଣ ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ସେପଟେ ବିଦେଶରେ ବି ତାଣ୍ଡବ ରଚୁଛି ଓମିକ୍ରନ । ଅଧିକାଂଶ ଦେଶରେ ଭୟଙ୍କର ସ୍ଥିତି । ଫ୍ରାନ୍ସରେ ରୋଗୀଙ୍କୁ ବେଡ୍ ମିଳୁ ନଥିବା ବେଳେ ଆଗକୁ ଭୟଙ୍କର ସ୍ଥିତି ଆସିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

Leave a Reply