କାଲି ଲଞ୍ଚ୍ ହେବ ଭାରତର ପ୍ରଥମ ସୋସିଆଲ୍ ମିଡିଆ ‘ଏଲିମେଣ୍ଟସ୍’

ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ଲୋକ ସୋସିଆଲ୍ ମିଡିଆର ବ୍ୟବହାର କରୁଛନ୍ତି । ତଥ୍ୟ କହୁଛି ଦେଶରେ ୫୦ କୋଟିରୁ ଅଧିକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ରହିଛନ୍ତି । ଏହା ପରେ ବି ସୋସିଆଲ୍ ମିଡିଆ ବଜାରରେ ଛାଇ ହୋଇ ରହିଛନ୍ତି ବିଦେଶୀ କମ୍ପାନୀ । ଯାହାର ବିକଳ୍ପ ଏବେ ଭାରତ ପାଖରେ । ଆସନ୍ତାକାଲି ଅର୍ଥାତ୍ ରବିବାର ଲଞ୍ଚ୍ ହେବାକୁ ଯାଉଛି ଭାରତ ନିର୍ମିତ ନିଜସ୍ୱ ଆପ୍ ‘ଏଲିମେଣ୍ଟସ୍’।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ସ୍ୱଦେଶୀ ଆପ୍ ‘ଏଲିମେଣ୍ଟସ୍’କୁ ଲଞ୍ଚ୍ କରିବେ । ସୋସିଆଲ୍ ମିଡିଆରେ ପ୍ରାଇଭେସୀକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । ଯାହାକୁ ରକ୍ଷା କରିବାରେ ବିଫଳ ହେଉଛନ୍ତି ବିଦେଶୀ କମ୍ପାନୀ । ସେଥିପାଇଁ ଏହି ଆପରେ ଡାଟା ପ୍ରାଇଭେସୀକୁ ପ୍ରାଥମିକତା ଦିଆଯାଇଛି । ଆର୍ଟ ଅଫ୍ ଲିଭିଂ ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ‘ଏଲିମେଣ୍ଟସ୍’କୁ ଉପରାଷ୍ଟ୍ରପତି ଲଞ୍ଚ କରିବେ ।

ଲଞ୍ଚିଂ କାର୍ଯ୍ୟକ୍ରମରେ ଯୋଗଗୁରୁ ରାମଦେବ, ଅଯୋଧ୍ୟା ରାମ ରେଡ୍ଡୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ପ୍ରମୁଖ ଉପସ୍ଥିତ ରହିବାର ସମ୍ଭାବନା ରହିଛି । କୁହାଯାଉଛି ‘ଏଲିମେଣ୍ଟସ୍’ ଆପରେ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ରହିବ । ଏପରିକି ଡାଟାକୁ ବିନା ଅନୁମତିରେ କୌଣସି ତୃତୀୟ ପକ୍ଷ ସହ ସେୟାର୍ କରାଯିବ ନାହିଁ । ପୂର୍ବରୁ ତୃତୀୟ ପକ୍ଷକୁ ତଥ୍ୟ ପ୍ରଦାନ କରିବା ନେଇ ଫେସବୁକ ବିବାଦ ଘେରରେ ରହି ଆସୁଥିଲେ ମଧ୍ୟ ଲୋକପ୍ରିୟତା କମିନାହିଁ ।

ଏହି ଆପ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି । ଏବଂ ଏହାକୁ ଲକ୍ଷେରୁ ଅଧିକ ଲୋକ ଡାଉନଲୋଡ୍ କରି ସାରିଛନ୍ତି । କିନ୍ତୁ, ‘ଏଲିମେଣ୍ଟସ୍’ର ବିଧିବଦ୍ଧ ଲଞ୍ଚି ହୋଇନଥିଲା ଯାହା କାଲି ହେବ । ‘ଏଲିମେଣ୍ଟସ୍’ ୮ଗୋଟି ଭାରତୀୟ ଭାଷାରେ ଉପଲବ୍ଧ । ଏହି ଆପରେ ଅଡିଓ ଓ ଭିଡିଓ କଲିଂ ସୁବିଧା ବି ମିଳିବ । ଏହି ଆପ୍ ୨୦୧୮ ମସିହା ସେପ୍ଟେମ୍ବର ୨୭ ତାରିଖରେ ଗୁଗଲ ପ୍ଲେ ଷ୍ଟୋରରେ ଯୋଡ଼ି ହୋଇଥିଲା । ‘ଏଲିମେଣ୍ଟସ୍’କୁ ସୁମେରୁ ସଫ୍ଟୱେର ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରସ୍ତୁତ କରିଛି ।

ଭାରତ ଆପ୍ ଓ ସୋସିଆଲ ମିଡିଆ ମାମଲାରେ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରୁଛି । ପୂର୍ବ ଲଦାଖର ଗଲବାନ ଘାଟିରେ ଚୀନ ସହ ହିଂସାତ୍ମକ ସଂଘର୍ଷ ପରେ ଭାରତ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଛି । ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ନିଜସ୍ୱ ଆପ୍ ତିଆରି କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଚୀନ୍‌କୁ ଲାଗିବ ଦ୍ୱିତୀୟ ବଡ଼ ଝଟକା, ମୋଦିଙ୍କ ଦେଶୀ ଆପ୍ ଆହ୍ୱାନ୍‌

Leave a Reply