spot_img

Latest Posts

ଓଡିଶାରେ ପ୍ରଥମ, ବାଟ ଚାଲିବାକୁ ବଳ ଯୋଗାଇଲା ବ୍ରଦରହୁଡ ଫାଉଣ୍ଡେସନ

ଯାଜପୁର: ଗାଈର କୃତ୍ରିମ ଗୋଡ଼ ଲଗାଇ ତାକୁ ନୂଆ ଜୀବନ ଦେଲେ ସ୍ବେଚ୍ଛାସେବୀ। ନୂଆ ଗୋଡ଼ ଯୋଗୁଁ ଗୋଟିଏ ଗୋଡ଼ ହରାଇ ଅସହାୟ ଭାବେ ପଡ଼ି ରହିଥିବା ଗାଈଟି ଏବେ ଚଲାବୁଲା କରିବାକୁ ସକ୍ଷମ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ଗାଁରେ।

ଭୁବନେଶ୍ୱରର ସ୍ବେଚ୍ଛାସେବୀ ସଂଗଠନ ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନ ଏଭଳି ମହତ କାର୍ଯ୍ୟ କରିଛି। ସୂଚନା ମୁତାବକ ଗତ ଦୁଇ ବର୍ଷ ତଳେ ନିକଟସ୍ଥ ଯଖପୁରା ରେଳ ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଆସି ଗାଈଟିର ଡାହାଣ ପଟ ପଛ ଗୋଡ଼ କଟି ଯାଇଥିଲା। ପରେ ଗାଈଟିକୁ ତାର ମାଲିକ ନେଇ ନଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଯଖପୁରା ଜଗନ୍ନାଥ ମନ୍ଦିରରେ ରଖି  ଚିକିତ୍ସା କରାଇଥିଲେ।

ପରବର୍ତ୍ତୀ ସମୟରେ ଗାଈଟି ସୁସ୍ଥ ହୋଇଯାଇଥିଲା। ହେଲେ ଗୋଟିଏ ଗୋଡ଼ ନଥିବାରୁ ଚଲାବୁଲା କରି ନପାରି ଅସହାୟ ଅବସ୍ଥାରେ ପଡ଼ି ରହିଥିଲା। ଏ ସମ୍ପର୍କରେ ଜାଣିବା ପରେ ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନର ପ୍ରତିଷ୍ଠାତା ସତ୍ୟଜିତ୍ ସେନାପତି ଏଠାରେ ପହଞ୍ଚି ଗାଈଟିର କଷ୍ଟ ବୁଝି ପାରିଥିଲେ। ତାର ଏକ କୃତ୍ରିମ ଗୋଡ଼ ଲଗାଇବାକୁ ସ୍ଥିର କରିଥିଲେ। ପରେ ଆଜି ଭୁବନେଶ୍ୱରରେ ଜଣେ ଡାକ୍ତରଙ୍କ ସହଯୋଗରେ ଗାଈର ଏକ କୃତ୍ରିମ ଗୋଡ଼ ଲଗାଇଛନ୍ତି ସତ୍ୟଜିତ।

ଗୋଡ଼ ଲାଗିବା ପରେ ଗାଈଟି ଏବେ ଚଲାବୁଲା କରିପାରୁଛି। ତେବେ ଗାଈକୁ ନୂଆ ଜୀବନ ଦେଇଥିବାରୁ ବ୍ରଦରହୁଡ ଗ୍ଲୋବାଲ ଫାଉଣ୍ଡେସନକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ। ସେପଟେ ମଣିଷଙ୍କର କୃତ୍ରିମ ଅଙ୍ଗ ଲଗା ଯାଉଥିବା ବେଳେ ଗାଈ ଶରୀରରେ କୃତ୍ରିମ ଅଙ୍ଗ ଲାଗିବା ଘଟଣା ଓଡ଼ିଶାରେ ପ୍ରଥମ ବୋଲି ଡାକ୍ତର କହିଛନ୍ତି।

Latest Posts

Don't Miss