‘କିସ୍’ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ପରାମର୍ଶ, ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ

1 min read

ଭୁବନେଶ୍ୱର: ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ । ସେମାନଙ୍କ ପାଇଁ ଭଲ ପରିବେଶ, ପ୍ରୋତ୍ସାହନ ଏବଂ ସମୟଭିତ୍ତିକ ମାର୍ଗ ପ୍ରଦର୍ଶନ ଆବଶ୍ୟକ । ବିଶ୍ୱର ପ୍ରଥମ ଆଦିବାସୀ ବିଶ୍ବବିଦ୍ୟାଳୟ ‘କିସ୍’ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଏହି ପରାମର୍ଶ ଦେଇଛନ୍ତି । ଉତ୍ସବରେ ରାଜ୍ୟପାଳଙ୍କ ସମେତ ୩ଜଣ ସ୍ବନାମ ଧନ୍ୟ ଓଡ଼ିଆଙ୍କୁ ମିଳିଛି ଡକ୍ଟରେଟ ଉପାଧି । କିସ୍‌ରେ ଜନଜାତିଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସୂଚନା ଦେଇଥିଲେ ।

୧୯୯୨-୯୩ ମସିହାରେ ମାତ୍ର ୧୨୫ ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିଲା କିସ୍‌ । ଛୋଟିଆ ଶିକ୍ଷାନୁଷ୍ଠାନ ଆଜି ମହାଦ୍ରୁମରେ ପରିଣତ ହୋଇଛି । କିସ୍‌ ଆଜି ଲକ୍ଷାଧିକ ଜନଜାତି ଶିଶୁ ଓ ଯୁବକଯୁବତୀଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରାଇଛି ବୋଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଶପଥ ନେବା ସହ ଏକ ସଫଳ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ସେ ଆହ୍ବାନ ଦେଇଥିଲେ । ଭର୍ଚୁଆଲରେ ଆୟୋଜିତ ଉତ୍ସବରେ କିସ୍ ପକ୍ଷରୁ ରାଜ୍ୟପାଳଙ୍କ ସମେତ ଭାରତର ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍ ହସ୍ପିଟାଲ୍ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱରୂପ ରଞ୍ଜନ ମିଶ୍ର ଏବଂ ନିୟୁର୍କରେ ରହୁଥିବା ବିଶିଷ୍ଟ ଫ୍ୟାସନ୍ ଡିଜାଇନର୍ ବିଭୁ ମହାପାତ୍ରଙ୍କୁ ସମ୍ମାନଜନକ ଡିଲିଟ୍‌ ପ୍ରଦାନ କରାଯାଇଛି ।

କିସ୍‌ରେ କଳା, ବିଜ୍ଞାନ ଓ ବାଣିଜ୍ୟ ଭଳି କୋର୍ସ ସହ ଜନଜାତିଙ୍କ ଶିକ୍ଷା, ଅଧିକାର, ଚାଲିଚଳଣି, ଭାଷା, ସଂସ୍କୃତି ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ଗବେଷଣା ବ୍ୟବସ୍ଥା ରହିଛି । ଏହି ଆବାସିକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ସମ୍ପୂର୍ଣ୍ଣ ମାଗଣା ରହିବା, ଖାଇବା, ପାଠପଢାର ବ୍ୟବସ୍ଥା । ଏବେ ୩୦ ହଜାର ପିଲା ଏଠାରେ ପଢୁଛନ୍ତି । ଆଗକୁ ଲକ୍ଷେ ପିଲାଙ୍କୁ ମାଗଣା ପଢାଇବାର ଟାର୍ଗେଟ ରଖାଯାଇଛି । ଏହି ଅବସରରେ କିସ୍‌ର ଟ୍ରାଇବାଲ୍ ରିସୋର୍ସ ମ୍ୟାନେଜମେଣ୍ଟ ସ୍କୁଲର ୨୦୧୯ ବ୍ୟାଚ୍ ଛାତ୍ରୀ ମଲହୋ ମାର୍ଡି ଏବଂ ସ୍କୁଲ୍ ଅଫ୍ ଇଣ୍ଡିଜେନସ୍ ନଲେଜ୍, ସାଇନସ୍ ଓ ଟେକ୍ନୋଲୋଜିର ୨୦୨୦ ବ୍ୟାଚ୍‌ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସେହିପରି ୧୪ଜଣ କୃତୀ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ଓ ୧୪ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଛି।

Leave a Reply