ଭୁବନେଶ୍ୱର: ରାଜ୍ୟବାସୀ କରୋନା ସହ ଲଢ଼ୁଛନ୍ତି । ଜୀବନ ବଞ୍ଚାଇବାକୁ ଚାଲିଛି ଅହରହ ସଂଘର୍ଷ । କରୋନା ଆତଙ୍କ ଭିତରେ କୋଭିଡ୍ ହସ୍ପିଟାଲରୁ ଆସିଛି ଖୁସି ଖବର । ପ୍ରଥମଥର ପାଇଁ ରାଜ୍ୟରେ କୋଭିଡ୍ ହସ୍ପିଟାଲରେ ସଫଳତାର ସହ ଗର୍ଭପାତ କରାଯାଇଛି । ପ୍ରସବ ପରେ ସୁସ୍ଥ ଅଛନ୍ତି ମାଆ ଓ ଛୁଆ । ଭୁବନେଶ୍ୱର କିମ୍ସ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଡାକ୍ତର ସଫଳତାର ସହ କରୋନା ସଂକ୍ରମିତ ପ୍ରସୂତିଙ୍କ ପ୍ରସବ କରାଇଛନ୍ତି ।
ମେ ୩୦ ତାରିଖରେ ବାହାର ରାଜ୍ୟରୁ ଆସି କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଗର୍ଭବତୀ ମହିଳା କରୋନା ସଂକ୍ରମିତ ଜଣା ପଡ଼ିବା ପରେ କିମ୍ସ କୋଭିଜ୍ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ଜୁନ୍ ୨୧ ତାରିଖରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସମୟ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ନମୁନା ନେଗେଟିଭ ଆସିବା ପର୍ଯ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ ରଖିବା ପାଇଁ କିମ୍ସ ଡାକ୍ତରମାନେ ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେଲେ ପ୍ରସବ ପାଇଁ ହସ୍ପିଟାଲର ଡାକ୍ତରମାନେ ସମସ୍ତ ବନ୍ଦୋବସ୍ତ କରିଥିଲେ ।
ଜୁନ୍ ୧ ତାରିଖରେ ମହିଳାଙ୍କ ବେଦନା ଆରମ୍ଭ ହେବାରୁ ପ୍ରସବ କରାଇବା ପାଇଁ କିମ୍ସ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ । ପ୍ରଥମ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିବା ବେଳେ ଏବେ ସେ କାରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ପ୍ରସବ କରାଇବା ବିପଦପୂର୍ଣ୍ଣ ଥିଲେ ମଧ୍ୟ ଏଥିରେ ଡାକ୍ତରମାନେ ସଫଳ ହୋଇଛନ୍ତି । ବର୍ତ୍ତମାନ ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ସ କୋଭିଡ୍ ହସପିଟାଲ, କିମ୍ସ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

