ଗାଈ ଗୋରୁଙ୍କ ପାଇଁ ରହିବନି ରକ୍ତାଭାବ

ଭୁବନେଶ୍ୱର: ଓୟୁଏଟିରେ ଦେଶର ପ୍ରଥମ କ୍ୟାଟେଲ ବ୍ଲଡ୍ ବ୍ୟାଙ୍କ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକଳ୍ପର ସଂଶୋଧିତ ପ୍ରସ୍ତାବ ରାଜ୍ୟ ଜରିଆରେ କେନ୍ଦ୍ର ରାଷ୍ଟ୍ରୀୟ କୃଷି ବିକାଶ ନିଗମ ପାଖକୁ ପଠାଇବ ଓୟୁଏଟି । ଏହା ଦ୍ଵାରା ମଣିଷଙ୍କ ପରି ଗୋଟାଏ ଗାଈର ରକ୍ତ ଅନ୍ୟ ଏକ ଗାଈକୁ ଦିଆଯାଇ ପାରିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ବ୍ଲଡ ବ୍ୟାଙ୍କ ଗଠନ କରାଯିବ ।

ଖୁବ୍‌ଶୀଘ୍ର ଦେଶର ପ୍ରଥମ କ୍ୟାଟେଲ ବ୍ଲଡ୍ ବ୍ୟାଙ୍କ ସ୍ଥାପନ ହେବାକୁ ଯାଉଛି । ଖୁସିର ଖବର, ଏହାକୁ ଭୁବନେଶ୍ୱରରେ ସ୍ଥାପନ କରିବାର ଯୋଜନା ଚୂଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଛି । ଓୟୁଏଟିରେ ସ୍ଥାପନ କରିବାକୁ ଅନୁମୋଦନ ପାଇଁ ୧୫ ମାର୍ଚ୍ଚ ୨୦୧୭ରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ପାଖକୁ ପ୍ରକଳ୍ପର ରୂପରେଖ ପଠାଯାଇଥିଲା । ଯାହା ପାଇଁ ୩୫୭ ଲକ୍ଷ ଟଙ୍କ ବ୍ୟୟ ବରାଦ ହୋଇଥିଲା । ଏହାର ସମସ୍ତ ଦିଗକୁ ଯାଞ୍ଚ କରି ରାଷ୍ଟ୍ରୀୟ କୃଷି ବିକାଶ ନିଗମ ପାଖକୁ ରାଜ୍ୟ ସରକାର ପ୍ରସ୍ତାବ ପଠାଇଥିଲେ । ବର୍ତ୍ତମାନ ଓୟୁଏଟି ପକ୍ଷରୁ ପ୍ରସ୍ତାବର କିଛି ଦିଗକୁ ସଂଶୋଧନ କରାଯାଉଛି । ଯାହା କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇଁ ପଠାଯିବ ।

ଗାଈ ଗୋରୁଙ୍କ ମଧ୍ୟରେ ପାଖାପାଖି ୧୪ଟି ବ୍ଲଡ ଗ୍ରୁପ ରହିଛି । ମ୍ୟାଚିଂ ବଦଳରେ ଏହାକୁ ଗ୍ରୁପିଂ କରାଯାଉଛି । ପ୍ରାଥମିକ ସ୍ତରରେ କେବଳ ଟିଙ୍କ ମରା ନେଇ ଗୋଟିଏ ଗାଈରୁ ଆଉ ଏକ ଗାଈକୁ ରକ୍ତ ଦିଆଯିବ । ହେଲେ ଗାଈ ମାଲିକଙ୍କ ଅନୁମତି ବିନା ଏହା ଆଗେଇବା ଅସମ୍ଭବ । ବ୍ଲଡ ବ୍ୟାଙ୍କ ସ୍ଥାପନ ପରେ ଗାଈ ମାଲିକଙ୍କ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ସରକାର ସଚେତନ କରିବେ । ବ୍ଲଡ ବ୍ୟାଙ୍କ କର୍ମଚାରୀ ସେମାନଙ୍କ ପାଖକୁ ଯାଇ ରକ୍ତ ସଂଗ୍ରହ କରିବେ ।

Leave a Reply