ମୋହନ ସରକାରଙ୍କ ପ୍ରଥମ ବଜେଟ୍, ଚ୍ୟାଲେଞ୍ଜ ଅନେକ

1 min read

ଭୁବନେଶ୍ବର: ପୂର୍ବ ଯୋଜନା ଚାଲୁ ରହିବ ନା ବନ୍ଦ ହେବ । ନିର୍ବାଚନୀ ପ୍ରତିଶ୍ରୁତି ବି ପାଳନ କରିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ପ୍ରଥମ ବଜେଟକୁ ନେଇ ଏପରି ଚାଲେଞ୍ଜ ସୃଷ୍ଟି ହୋଇଛି । ପୁରୁଣା ଯୋଜନା ସହ ନୂଆ ଯୋଜନା ଆରମ୍ଭ କରିବାକୁ ହେଲେ ରାଜ୍ୟ ରାଜକୋଷ ଉପରେ ବଢିବ ଚାପ । ତେଣୁ ବଜେଟର ଆକାର ବଢିଲେ ବଳକା ଅର୍ଥ କେଉଁଠୁ ଭରଣା କରାଯିବ । ତାକୁ ନେଇ ନୂଆ ସରକାର ଘାଣ୍ଟି ଚକଟି ହେଉଥିବା ବେଳେ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ମଧ୍ୟ ଆଉ ଏକ ଆହ୍ବାନ । ଏଭଳି ସ୍ଥିତିରେ ପୂର୍ଣ୍ଣାଙ୍ଗ ବଜେଟ ଆକାର ୨ ଲକ୍ଷ ୬୦ ହଜାରୁ ୨ ଲକ୍ଷ ୭୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି ।

ମୋହନ ସରକାରଙ୍କ ପ୍ରଥମ ବଜେଟ୍‌ । ସୁଭଦ୍ରା, ଏମଏସପି, ଭତ୍ତା ଏସବୁ ପାଇଁ ହେବ ଅଧିକ ବ୍ୟୟ ବରାଦ । ଶିକ୍ଷା, ସ୍ବାସ୍ଥ୍ୟ ବାବଦରେ କେତେ ମିଳିବ ଅର୍ଥ ? ଯୁଗାନ୍ତକାରୀ ପଦକ୍ଷେପ ନେଇ ନବୀନ ସରକାର ରେକର୍ଡ଼ କରିଥିଲେ । କେନ୍ଦ୍ର ଅନୁଦାନ ଉପରେ ନିର୍ଭରଶୀଳତା କମାଇବାକୁ ନିଜସ୍ବ ସମ୍ବଳ ବୃଦ୍ଧି ଉପରେ ଜୋର ଦେଇଥିଲେ । ଏ ସରକାର ତାକୁ ଅବ୍ୟାହତ ରଖିବେ ନା ବିଭିନ୍ନ ଯୋଜନା ଚାଲୁ ରଖିବାକୁ କେନ୍ଦ୍ରର ହାତକୁ ଅନେଇବେ ? ମୋହନ ସରକାରଙ୍କ ପ୍ରଥମ ବଜେଟ୍‌କୁ ନେଇ ଏପରି ଚର୍ଚ୍ଚା ଆରମ୍ଭ ହୋଇଟାଇଛି ।

ଏଥର ବଜେଟ୍‌ ଆକାର ୨ ଲକ୍ଷ ୬୦ ହଜାର କୋଟିରୁ ୨ ଲକ୍ଷ ୭୦ ହଜାର କୋଟି ଛୁଇଁପାରେ । ହିସାବ ଦେଖିଲେ ପୂର୍ବ ସରକାର ଜିଏସଡିପିର ୪ ପ୍ରତିଶତ ରାଜସ୍ବ ବଳକା ରହୁଥିଲା । ଏହାସହ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଆଇନ ଅନୁଯାୟୀ ବିତ୍ତୀୟ ନିଅଣ୍ଟକୁ ୩ ପ୍ରତିଶତରେ ସୀମିତ ରଖିବାର ରେକର୍ଡ଼ ବଜାୟ ରହିବ ତ । କାଳିଆ, ବିଏସକେଓ୍ବାଇ ପାଇଁ ଅର୍ଥ ବ୍ୟୟ ବରାଦ ନକଲେ ବିଗିଡ଼ି ପାରେ ସରକାରଙ୍କ ସ୍ବାସ୍ଥ୍ୟ ।

ଗତ ଫେବ୍ରୁଆରୀରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ବ ନବୀନ ସରକାର ଆଣିଥିଲେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍‌ । ନିର୍ବାଚନ ଥିବାରୁ ୪ ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟିର ଲେଖାନୁଦାନ ଗୃହରେ ପାରିତ ହୋଇଥିଲା । କୃଷି ପାଇଁ ସ୍ବତନ୍ତ୍ର ବଜେଟ୍‌ ସହିତ ଚାଷ ଓ ଚାଷୀଙ୍କ ଆର୍ଥିକ ସହାୟତା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏବର ଡବଲ ଇଞ୍ଜିନ ସରକାର ଉପରେ ଚାଷୀ ଅଧିକ କ’ଣ ପାଇବେ ସେ ନେଇ ଆଶା ବାନ୍ଧିଛନ୍ତି । ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୫୦ରୁ ୬୦ ହଜାର କୋଟି ଆବଶ୍ୟକ ।  ଏହି ଅତିରିକ୍ତ ଖର୍ଚ୍ଚ କେଉଁଠୁ ଆଣିବେ ତାହା ସବୁଠୁ ବଡ଼ ପ୍ରଶ୍ନ ।

ଆସନ୍ତା ସମୟ ହେଉଛି ଯୁବପୀଢିଙ୍କର । ଚାକିରି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ଯୁବକଙ୍କ ପାଇଁ ନୂଆ ସରକାର କି ସରପ୍ରାଇଜ ଆଣୁଛନ୍ତି ତା’ ଉପରେ ମଧ୍ୟ ନଜର ରହିଛି । ଏମିତି କିଛି ସମ୍ଭାବନା ଓ ଆଶାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସବୁ ବିଭାଗୀୟ ସଚିବଙ୍କ ସହ ମାନସ ମନ୍ଥନ କରିଥିବା ବେଳେ ଶୁକ୍ରବାର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।