ନାସାର ରୋଭର ମଙ୍ଗଳ ଗ୍ରହରେ ଏମିତି ଏକ ଧ୍ୱନୀ ରେକର୍ଡ କରିଛି ଯାହାକୁ ଶୁଣିବା ପରେ…

1 min read

ପ୍ୟାରିସ୍: ମଙ୍ଗଳ ଗ୍ରହ ଏବଂ ପୃଥିବୀ ମଧ୍ୟରେ କିଛି ସମାନତା ରହିବା ସହ କିଛି କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ । ଏବେ ମଙ୍ଗଳ ଗ୍ରହ ବିଷୟରେ ବୈଜ୍ଞାନିକମାନେ ଏମିତି କିଛି  ଜାଣିବାକୁ ପାଇଛନ୍ତି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦ୍ୱାରା ମଙ୍ଗଳ ଗ୍ରହରେ ସୂଚନା ସଂଗ୍ରହ ପାଇଁ ପର୍ସିବିୟରେନ୍ସ ରୋଭର ପଠାଇଥିଲା । ଏହି ରୋଭର ସେଠାରେ ପ୍ରଥମ ଥର ପାଇଁ ଧ୍ୱନି ରେକର୍ଡିଂ କରିବାରେ ସଫଳ ହୋଇଛି। କେବଳ ଏତିକି ନୁହେଁ, ରୋଭରର ମାଇକ୍ରୋଫୋନ୍ ସେଠାକାର ପରିବେଶରେ ଥିବା ଧ୍ୱନୀର ଦୁଇ ପ୍ରକାରର ଗତିକୁ ରେକର୍ଡ କରିଛି । ଅର୍ଥାତ୍, ମଙ୍ଗଳ ଗ୍ରହରେ ଧ୍ୱନୀ ବା ଧ୍ୱନୀର ଗତି ଦୁଇ ପ୍ରକାରର ବୋଲି ଜଣାପଡିଛି । ଶୁକ୍ରବାର ଦିନ ପ୍ରକାଶିତ ଅଧ୍ୟୟନରେ ବୈଜ୍ଞାନିକମାନେ, ଏହି ଦୁଇ ପ୍ରକାରର ଧ୍ୱନିର ପ୍ରଭାବ କ’ଣ ହୋଇପାରେ ତାହା କହିଛନ୍ତି ।

ପୃଥିବୀରେ ଶବ୍ଦର ଗୋଟିଏ ଗତି, ମଙ୍ଗଳ ଗ୍ରହରେ ଦୁଇଟି

ସୂଚନା ଯୋଗ୍ୟ ଯେ, ଆମ ପୃଥିବୀରେ ଧ୍ୱନୀ କେବଳ ଗୋଟିଏ ବେଗରେ ଗତି କରିଥାଏ । ଅର୍ଥାତ୍ ଏହା ପ୍ରତି ସେକେଣ୍ଡରେ ୩୪୦ ମିଟର ହୋଇଥାଏ । ଆମେ ଯେଉଁଠାରେ ଥାଉ ନା କାହିଁକି ଆମର ସ୍ୱର ସମାନ ବେଗରେ ହିଁ ଅନ୍ୟପାଖରେ ପହଞ୍ଚେ । କିନ୍ତୁ ମଙ୍ଗଳ ଗ୍ରହରେ ଏହା ନୁହେଁ । ନାସାର ରୋଭରରେ ଥିବା ଟ୍ରାନ୍ସମିଟର ମଙ୍ଗଳ ଗ୍ରହରେ ଧ୍ୱନୀ ପ୍ରତି ସେକେଣ୍ଡରେ ୨୪୦ ମିଟର ବେଗରେ ରେକର୍ଡ ହୋଇଛି । କିନ୍ତୁ ବୈଜ୍ଞାନିକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଦେଖିଲେ ଯେ, ସେଠାରେ ଧ୍ୱନୀ ପ୍ରତି ସେକେଣ୍ଡରେ ୨୫୦ ମିଟରର ପର୍ଯ୍ୟନ୍ତ ମଧ୍ୟ ଗତି କରୁଛି । ବାସ୍ତବରେ, ମଙ୍ଗଳ ଗ୍ରହର ବାୟୁମଣ୍ଡଳ ପୃଥିବୀଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଉଭୟ ସ୍ଥାନରେ ଧ୍ୱନୀର ବେଗରେ ପାର୍ଥକ୍ୟ ରହିଛି । ପୃଥିବୀର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ପରିମାଣ ମାତ୍ର ୦.୦୪ ପ୍ରତିଶତ ଥିବାବେଳେ ମଙ୍ଗଳ ଗ୍ରହରେ ଏହା ୯୫ ପ୍ରତିଶତ ରହିଛି । ଏହି କାରଣରୁ, ସେଠାରେ ଥିବା ଧ୍ୱନୀ ୨୦ ଡେସିବଲ କମିଯାଇଥାଏ । ଯଦିଓ ବୈଜ୍ଞାନିକମାନେ ଏହା ବିଷୟରେ ପୂର୍ବରୁ ଜାଣିଥିଲେ । କିନ୍ତୁ ମଙ୍ଗଳ ଗ୍ରହରେ ଧ୍ୱନୀର ଭିନ୍ନ ଗତି ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

୫ଘଣ୍ଟା ପର୍ଯ୍ୟନ୍ତ ଧ୍ୱନିକୁ ରେକର୍ଡ କରିଛି ନାସା

ଗତ ବର୍ଷ ଫେବୃଆରୀରେ ନାସାର ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା । ସେ ତା ସହ ଏକ ଛୋଟ ଇନଜେନ୍ୟୁଟି ହେଲିକପ୍ଟର ମଧ୍ୟ ନେଇଥିଲା । ଏହି ରୋଭରରେ ଜୋତା ବାକ୍ସ ଆକାରର ମାଇକ୍ରୋଫୋନ୍ ମଧ୍ୟ ଅଛି, ଯାହା ସେଠାରେ ଧ୍ୱନୀକୁ ରେକର୍ଡିଂ କରିଥାଏ  । ତେବେ ଏହି ଯନ୍ତ୍ରଟି ପ୍ରାୟ ୫ ଘଣ୍ଟାର ଧ୍ୱନୀ ରେକର୍ଡ କରିଛି । ବୈଜ୍ଞାନିକମାନେ ଏକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ଯେତେବେଳେ ହେଲିକପ୍ଟର ଉଡ଼ିଥିଲା ସେତେବେଳେ ଟକ୍-ଟକ୍ ଭଳି ଧ୍ୱନୀ ଶୁଣାଯାଇଥିଲା । ରୋଭରରୁ ହେଲିକପ୍ଟରର ଦୂରତା ଏବଂ ଏଥିରୁ ଆସୁଥିବା ଧ୍ୱନି ଆଧାରରେ ବୈଜ୍ଞାନିକମାନେ ଏହାର ଗତିର ମୂଲ୍ୟାଙ୍କନ କରିଥିଲେ, ଏଥିରୁ ଜଣାପଡିଲା ଯେ ଏହି ଧ୍ୱନୀର ବେଗ ପ୍ରତି ସେକେଣ୍ଡରେ ୨୪୦ ମିଟର । ଅନ୍ୟପଟେ, ଯେତେବେଳେ ରୋଭର ମଙ୍ଗଳ ଗ୍ରହର ପୃଷ୍ଟକୁ ଖନନ କରିବାକୁ ଲେଜର ଛାଡିଲା ସେତେବେଳେ ଏହି ଲେଜରରୁ ବାହାରୁଥିବା ଧ୍ୱନୀର ଗତି ପ୍ରତି ସେକେଣ୍ଡରେ ୨୫୦ ମିଟର ଥିବା ମପା ଯାଇଥିଲା ।

ମଙ୍ଗଳ ଗ୍ରହରେ କଣ ଅସୁବିଧା ହେବ

ବୈଜ୍ଞାନିକମାନେ କହିଛନ୍ତି ଯେ, ଶବ୍ଦର ଏହି ଭିନ୍ନ ଭିନ୍ନ ଗତି ଗମ୍ଭୀର ପରିଣାମ ଦେବ । ଉଦାହରଣ ଦେଇ ସେ ବ୍ୟାଖ୍ୟା କରିଛନ୍ତି ଯେ ଧରାଯାଉ ଆପଣ ପୃଥିବୀର ଏକ ସଙ୍ଗୀତ ଶୁଣୁଛନ୍ତି, ସେତେବେଳେ ଆପଣ ଯେଉଁଠାରେ ଥାଆନ୍ତୁ ନା କାହିଁକି, ଗୀତଟି ଆପଣଙ୍କ ପାଖରେ ସମାନ ବେଗରେ ପହଞ୍ଚିବ । ଏହି କାରଣରୁ ଆପଣ ସ୍ୱରରେ ଅସ୍ଥିରତା ଅନୁଭବ କରିବେ ନାହିଁ । କିନ୍ତୁ ମଙ୍ଗଳ ଗ୍ରହରେ ଏମିତି ହେବ ନାହିଁ । ସେଠାରେ ଆପଣ ସଙ୍ଗୀତଠାରୁ ଯେତେ ଦୂରରେ ଥିବେ, ଆପଣଙ୍କୁ ସଙ୍ଗୀତଟି ସେତେ ବିଳମ୍ବରେ  ପହଞ୍ଚିବ । ଏହାର ଅର୍ଥ ହେଉଛି ଯଦିଓ ଦୁଇ ଜଣ ସେଠାରେ ୫ ମିଟର ଦୂରରୁ କଥାବାର୍ତ୍ତା କରନ୍ତି, ତଥାପି ସେମାନେ ପରସ୍ପରକୁ ଶୁଣିବା ଏବଂ ବୁଝିବା କଷ୍ଟକର ହେବ ।