ଗାଡ଼ି ଫିଟନେସ ପରୀକ୍ଷା ହେବ ତ୍ରୁଟିଶୂନ୍ୟ, ରାଜ୍ୟରେ ଆରମ୍ଭ ହେଲା ATS ବ୍ୟବସ୍ଥା
1 min readକଟକ: ରାସ୍ତାରେ ଗଡୁଥିବା ଗାଡିର ଫିଟନେସ୍ ଠିକ ରହିବା ଆବଶ୍ୟକ । ଗାଡିର ଫିଟନେସ ଠିକ୍ ଥିଲେ ଦୁର୍ଘଟଣା ହ୍ରାସ ପାଇବ । ହେଲେ ବହୁତ ଗାଡି ଚାଳକ ଅଛନ୍ତି ଯେଉଁମାନେ ବିନା ଫିଟନେସ୍ ପ୍ରମାଣପତ୍ରରେ ଗାଡି ଚଲାଉଛନ୍ତି । କିଛି ଲୋକ ସରକାରୀ ନିୟମ ଅନୁସାରେ ଫିଟନେସ୍ ସାର୍ଟିଫିକେଟ ବାହାର କରୁନାହାନ୍ତି । ତେବେ ଆଉ ଏଭଳି ମନମାନି ଚଳିବନି । ଫିଟନେସ ପ୍ରମାଣପତ୍ର ନଥିବା ଗାଡି ରାସ୍ତାରେ ଚାଲି ପାରିବନି । କାରନ ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ATS । କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି । ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟନେସ ପରୀକ୍ଷା କରିବ । କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।
ଏବେ କଟକରେ ଏହାକୁ ସ୍ଥାପନ କରାଯାଇଥିବା ବେଳେ ଆଗକୁ ରାଜ୍ୟରେ ଆହୁରି ୨୧ଏଟିଏସ ସ୍ଥାପନା ହେବ । ସଡ଼କ ସୁରକ୍ଷା କ୍ଷେତ୍ରରେ ଯାନର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର । ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି । ତେବେ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା । ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନ ଥିବା ଗାଡ଼ି ସ୍ୱୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ । ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି ।