ପଞ୍ଜାବର ପ୍ରସିଦ୍ଧ ଗାୟକଙ୍କୁ ଗୁଳି ମାରି ହତ୍ୟା, ଗୋଟେ ଦିନ ପୂର୍ବରୁ ମାନ୍ ହଟାଇଥିଲେ ସୁରକ୍ଷା ବ୍ୟବସ୍ଥା

ଅମୃତସର: ସୁରକ୍ଷା ବ୍ୟବସ୍ଥା ହଟାଉ ହଟାଉ ହତ୍ୟା  । ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ  । ମିଲିଥିବା ସୂଚନା ମୁତାବକ ମୁସେବାଲାଙ୍କୁ ପଞ୍ଜାବର ମନସା ଗ୍ରାମ ପାଖରେ ଫାୟାରିଂ କରାଯାଇଛି  । ମନସା ଗ୍ରାମ ନିକଟରେ ମୁସେବାଲା ନିଜ ମହିନ୍ଦ୍ରା ଗାଡିରେ ଆସୁଥିବାବେଳେ ଏକ କଳାରଙ୍ଗର କାରରେ କିଛି ଦୁର୍ବୁତ୍ତ ଆସିଥିଲେ  । ଏବଂ ସିଦ୍ଧୁ ମୁସେବାଲାଙ୍କ ଗାଡିକୁ ଆଖିବୁଜା ଗୁଳି ଚାଳନା କରିଥିଲେ  ।

ଫଳରେ ମୁସେବାଲା ଗୁରୁତର ଆହତ ହୋଇଥିଲେ  । ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା  । ଗୁରୁତର ଭାବେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଚିକିତ୍ସା ସମୟରେ ଆଖି ବୁଜିଛନ୍ତି ପଞ୍ଜାବୀ ଗାୟକ ସିଦ୍ଧୁ  ମୁସେବାଲା  ।ମିଳିଥିବା ସୂଚନା ମୁତାବକ ମୁସେବାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟାରଙ୍କ ଧମକ ମିଳିଥିଲା  । ସୁଯୋଗ ନେଇ ଅପରାଧି ମାନେ ଗୁଳିକାଣ୍ଡ ଘଟାଇଥିଲେ  ।

ସେପଟେ ମୁସେବାଲାଙ୍କ ସାଥିରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି  । ସେମାନଙ୍କର ଚିକିତ୍ସା ବର୍ତ୍ତମାନ ଜାରି ରହିଛି  । ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଗୋଟିଏ ଦିନ ପୂର୍ବରୁ ପଞ୍ଜାବର ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲା  । ଯେଉଁଥିରେ ସାମିଲ ଥିଲେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲା  । ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇଥିଲେ ମୁସେବାଲା  । ଆପର ବିଜୟ ସିଙ୍ଗଲାଙ୍କ ବିରୋଧରେ ନିର୍ବାଚନ ଲଢିବା ସହ ୬୩ ହଜାର ୩୨୩ ଭୋଟରେ ପରାଜିତ ହୋଇଥିଲେ ମୁସେବାଲା  ।