ପଞ୍ଜାବର ପ୍ରସିଦ୍ଧ ଗାୟକଙ୍କୁ ଗୁଳି ମାରି ହତ୍ୟା, ଗୋଟେ ଦିନ ପୂର୍ବରୁ ମାନ୍ ହଟାଇଥିଲେ ସୁରକ୍ଷା ବ୍ୟବସ୍ଥା
ଅମୃତସର: ସୁରକ୍ଷା ବ୍ୟବସ୍ଥା ହଟାଉ ହଟାଉ ହତ୍ୟା । ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମିଲିଥିବା ସୂଚନା ମୁତାବକ ମୁସେବାଲାଙ୍କୁ ପଞ୍ଜାବର ମନସା ଗ୍ରାମ ପାଖରେ ଫାୟାରିଂ କରାଯାଇଛି । ମନସା ଗ୍ରାମ ନିକଟରେ ମୁସେବାଲା ନିଜ ମହିନ୍ଦ୍ରା ଗାଡିରେ ଆସୁଥିବାବେଳେ ଏକ କଳାରଙ୍ଗର କାରରେ କିଛି ଦୁର୍ବୁତ୍ତ ଆସିଥିଲେ । ଏବଂ ସିଦ୍ଧୁ ମୁସେବାଲାଙ୍କ ଗାଡିକୁ ଆଖିବୁଜା ଗୁଳି ଚାଳନା କରିଥିଲେ ।
ଫଳରେ ମୁସେବାଲା ଗୁରୁତର ଆହତ ହୋଇଥିଲେ । ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଗୁରୁତର ଭାବେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ଆଖି ବୁଜିଛନ୍ତି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା ।ମିଳିଥିବା ସୂଚନା ମୁତାବକ ମୁସେବାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟାରଙ୍କ ଧମକ ମିଳିଥିଲା । ସୁଯୋଗ ନେଇ ଅପରାଧି ମାନେ ଗୁଳିକାଣ୍ଡ ଘଟାଇଥିଲେ ।
ସେପଟେ ମୁସେବାଲାଙ୍କ ସାଥିରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ବର୍ତ୍ତମାନ ଜାରି ରହିଛି । ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ଗୋଟିଏ ଦିନ ପୂର୍ବରୁ ପଞ୍ଜାବର ୪୨୪ ଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରିଥିଲା । ଯେଉଁଥିରେ ସାମିଲ ଥିଲେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲା । ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ପ୍ରାର୍ଥୀ ହୋଇଥିଲେ ମୁସେବାଲା । ଆପର ବିଜୟ ସିଙ୍ଗଲାଙ୍କ ବିରୋଧରେ ନିର୍ବାଚନ ଲଢିବା ସହ ୬୩ ହଜାର ୩୨୩ ଭୋଟରେ ପରାଜିତ ହୋଇଥିଲେ ମୁସେବାଲା ।