କୋଲକାତାରେ ଚାଞ୍ଚଲ୍ୟ, ବାଂଲାଦେଶ ହାଇକମିଶନ ଅଫିସ ସାମ୍ନାରେ ଆଖିବୁଜା ଗୁଳିମାଡ

କୋଲକାତା: ବାଂଲାଦେଶ ହାଇକମିଶନଙ୍କ ଅଫିସ ସାମନାରେ ଫୁଟିଲା ଗୁଳି  । ପାର୍କ ସର୍କସ ଅଞ୍ଚଳରେ ଆଜି ଦ୍ବିପହରରେ ଆଖିବୁଜା ଗୁଳିମାଡ କରିଛନ୍ତି ଜଣେ ପୋଲିସ କର୍ମୀ  । ୧୦ରୁ ୧୫ ରାଉଣ୍ଡ ଆଖିବୁଜା ଗୁଳିମାଡ କରିବା ପରେ ଆତ୍ମହତ୍ୟା କରିଛନ୍ତି ପୋଲିସ ବାବୁ  ।

ଏସଏଲଆର ରାଇଫଲରୁ ଆଖିବୁଜା ଗୁଳିମାଡ କରି ଜଣେ ମହିଳାଙ୍କୁ ମଧ୍ୟ ହତ୍ୟା କରିଛନ୍ତି  । ଏହି ଗୁଳିକାଣ୍ଡରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି  । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଅନ୍ୟପଟେ ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ  ।

ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଞ୍ଚଳକୁ ଘେରି ତଦନ୍ତ କରୁଛି  । ଆଜି ସକାଳେ ସେ ଡ୍ୟୁଟିରେ ଯୋଗ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  । ଘଟଣା ପରେ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ନିକଟରେ ବାଂଲାଦେଶ ହାଇକମିଶନଙ୍କ ଅଫିସ ଥିବାରୁ ପୋଲିସର ଚିନ୍ତା ବଢାଇଛି  ।