ରାବଣ ଛକରେ ଗର୍ଜିଲା ଗୁଳି, ଗାଡ଼ି ପାର୍କିଂରୁ ବାପା-ପୁଅକୁ ଫାୟାରିଂ

1 min read

ନୂଆପଡ଼ା: ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି । ସିନାପାଲି ସହର ରାବଣ ଛକରେ ପାର୍କିଂକୁ ନେଇ କଥା କଟାକଟିରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି । ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାପା ପୁଅଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସିନାପାଲି ସହରର ରାବଣ ଛକ ନିକଟରେ ସିନାପାଲିର ରାଜା ପାଣିଗ୍ରାହୀ ନିଜ ଗାଡ଼ିରେ ଥିବା ସମୟରେ ସେହି ସ୍ଥାନରେ ସିନାପାଲିର ନୁର ମେହେର ଓ ତାଙ୍କ ପୁଅ ଲବ ମେହେର ନିଜ ଗାଡ଼ିରେ ପହଁଚିଥିଲେ । ଏହି ସମୟରେ ଗାଡି ପାର୍କିଂକୁ ନେଇ ରାଜା ପାଣିଗ୍ରାହୀ ଓ ନୁର ମେହେରଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି ।

ପରେ ରାଜା ପାଣିଗ୍ରାହୀ ନୁର ମେହେରଙ୍କୁ ମାଡ଼ ମାରିଥିଲେ ଏହା ଦେଖି ନୁର ମେହେରଙ୍କ ପୁଅ ଲବ ମେହେର ବାପାଙ୍କୁ ଛଡ଼ାଇବାକୁ ଯାଇଥିଲେ। ଏହି ସମୟରେ ରାଜା ପାଣିଗ୍ରାହୀ ନିଜ ଗାଡିରୁ ବନ୍ଧୁକ କାଢ଼ି ନୁର୍‌ଙ୍କୁ ଗୁଳି କରିଥିଲେ । ଫଳରେ ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜିଥିଲା । ଏହା ପରେ ତାଙ୍କ ପୁଅ ଲବଙ୍କୁ ଗୁଳି କରିଥିଲା ରାଜା । ଲବର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାପରେ ସ୍ଥାୟୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସିନପାଲି ପୋଲିସ ପହଁଚି ଦୁଇ ଗୁରୁତର ବାପା ଓ ପୁଅଙ୍କୁ ପ୍ରଥମେ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି  ।

ମିଳିଥିବା ସୂଚନା ମୁତବାକ ମେଡିକାଲରେ ଜାରି ରହିଛି ଆହତ ବାପ-ପୁଅଙ୍କ ଚିକିତ୍ସା  ।  ଏବେ ବାପ-ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଖଡ଼ିଆଳ SDPO ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ରାଜା ପାଣିଗ୍ରାହୀ ଫେରାର ଅଛି । ସେପଟେ ଅଭିଯୁକ୍ତ ରାଜାକୁ ଖୋଜୁଛି ନୂଆପଡ଼ା  ପୋଲିସ  ।