ମଞ୍ଚରେ ଥିଲେ ବର କନିଆ, ହଠାତ୍ ବନ୍ଦ ହୋଇଗଲା ମାଇକ୍ । ମଦ୍ୟପ କଲେ ଏଭଳି କାଣ୍ଡ

ଉତ୍ତର ପ୍ରଦେଶ : ଧୁମଧମରେ ଚାଲିଥାଏ ବାହାଘର । ସମସ୍ତେ ମସଗୁଲ୍ ଥାଆନ୍ତି । ନାଚିବାକୁ କହିଲେ ବାହାଘରକୁ ଆସିଥିବା ଅତିଥି । ଯୁବତୀ ଜଣଙ୍କ ନାଚିବାକୁ ମନା କରିବାକୁ ସିଧା ମୁଁହକୁ ମାରିଲେ ଗୁଳି । ଅଚାନକ ସେହି ଷ୍ଟେଜରେ ଟଳି ପଡ଼ିଲେ ଡ୍ୟାନ୍ସର ଜଣଙ୍କ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ଉତ୍ତରପ୍ରଦେଶର ଚିତ୍ରାକୋଟ୍ ଅଞ୍ଚଳରେ ୫ ଦିନ ତଳର ଏ ଭିଡିଓ ଏବେ ସୋସିଆଲ୍ ସାଇଟରେ ଭାଇରାଲ୍ ହେଉଛି । ଘଟଣା ଅନୁସାରେ, ଉତ୍ତରପ୍ରଦେଶର ଟିକ୍ରା ଗାଁରେ ଡିସେମ୍ବର ୧ରେ ଏକ ବାହାଘର ଚାଲିଥିଲା । ବାହାଘରରେ ମଞ୍ଚରେ ନବ ଦମ୍ପତି ବି ଥିଲେ । ଆଉ ସେହି ମଞ୍ଚରେ ଜଣେ ନୃତ୍ୟଶିଳ୍ପୀ, ନୃତ୍ୟ ପ୍ରଦର୍ଶନ କରୁଥିଲେ । ସେହି ସମୟରେ ହଠାତ ଗୀତ ବନ୍ଦ ହୋଇଯାଇଥିଲା ।
ଗୀତ ବନ୍ଦ ହେବା ପରେ ନାଚ ବି ବନ୍ଦ ହୋଇଯାଇଥିଲା । ଆଉ ଷ୍ଟେଜ୍ ତଳେ ଥିବା ଜଣେ ମଦ୍ୟପ ବ୍ୟକ୍ତି ରାଗିଯାଇ ଡ୍ୟାନ୍ସରଙ୍କୁ ନାଚିବାକୁ କହିଥିଲେ । ଏଭଳି ନକଲେ ସେ ଗୁଳି କରିଦେବେ ବୋଲି କହିଥିଲେ । ଆଉ କିଛି ସମୟ ପରେ ଡ୍ୟାନ୍ସର ନ ନାଚିବାରୁ ସତକୁ ସତ ଗୁଳି କରି ଦେଇଥିଲେ ମଦ୍ୟପ । ସୌଭାଗ୍ୟକୁ ଗୁଳିଟି ଡ୍ୟାନ୍ସରଙ୍କ ଛାତିରେ କିମ୍ୱା ଶରୀରର ଅନ୍ୟ କୌଣସି ସ୍ଥାନରେ ନବାଜି ସିଧା ମୁଁହରେ ବାଜିଥିଲା ।

