ଛୁଟି ନମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା

ଭଞ୍ଜନଗର: ଛୁଟି ନମିଳିବାରୁ ଚରମ ରାସ୍ତା ବାଛି ନେଲେ ଅଗ୍ନିଶମ କର୍ମଚାରୀ । ମିଳିଲା ତାଙ୍କ ଝୁଲନ୍ତା ମୃତଦେହ। ଗଞ୍ଜାମ ଗାଙ୍ଗପୁର ଥାନା ବୁଢାକେନ୍ଦୁ ଜଙ୍ଗଲରୁ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ କର୍ମଚାରୀ ହେଲେ କେନ୍ଦୁଝର ଜିଲ୍ଲା ଦୟାନିଧି ମହନ୍ତ । ସେ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।

ତାଙ୍କ ମୃତଦେହ ପାଖରୁ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି । ସେଥିରେ ସେ ଉଲ୍ଲେଖ କରିଛନ୍ତି, ‘ଅଗ୍ନିଶମ ସେବା ସଂସ୍ଥାରେ ଗତ ୨୪ ବର୍ଷ ହେଲା କାମ କରୁଥିଲେ । ମୟୂରଭଞ୍ଜରେ ଥିବା ବେଳେ ତାଙ୍କ ବାପା, ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାଇ ପାଖାପାଖି ଅଗ୍ନିଶମ କେନ୍ଦ୍ରକୁ ବଦଳି ପାଇଁ କହିଥିଲି । ୧୫ ହଜାର ଟଙ୍କା ନଦେବାରୁ କନ୍ଧମାଳ ବଦଳି କରିଦିଆଗଲା । ଫଳରେ ବାପା, ମାଆଙ୍କ କଥା ବୁଝି ପାରିନଥିଲି । ଯାହାଫଲରେ ବାପାମାଆଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମୋତେ ଆସିକାକୁ ବଦଳି କରାଯାଇଥିଲା । ତେବେ ଛୁଟି ନମିଳିବାରୁ ସ୍ତ୍ରୀ ଓ ପିଲାମାନଙ୍କୁ ୨ ବର୍ଷ ହେଲା ଦେଖି ନଥିଲେ । ଯାହାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପାମାଆଙ୍କ ଦେଖାଶୁଣା କରିପାରିଲେନି ସେମାନେ ଚାଲିଗଲେ । ସ୍ତ୍ରୀ ମଧ୍ୟ ଦୂରେଇ ଗଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛି ।’

ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଆଜି ସକାଳୁ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି ।