ଲୁହବୁହା ଗ୍ୟାସ୍ ଭଲ ଅଛି କି ନାହିଁ ଜାଣିବାକୁ କର୍ମଚାରୀଙ୍କ ଉପରେ ଟେଷ୍ଟ୍ କରିଥିଲୁ, କେଉଁ ଦେଶର ଗୃହମନ୍ତ୍ରୀ ଏମିତି କହିଲେ ?
ଇସଲାମାବାଦ: ନିଜ ଓଲଟା ସିଧା ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରଶିଦ ଅହମ୍ମଦ ପୁଣିଥରେ ଏମିତି ଗୋଟିଏ ବୟାନ ଦେଇଛନ୍ତି ଯେଉଁଥିପାଇଁ ସରକାରକୁ ଅପଦସ୍ତ ହେବାକୁ ପଡ଼ିଛି । ଦରମା ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ଉପରକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ସରକାରଙ୍କୁ ଏନେଇ ବିରୋଧୀ ଦଳ ଘେରିବା ପରେ ଆସିଥିଲା ଗୃହମନ୍ତ୍ରୀଙ୍କ ବୟାନ । ଯେଉଁଥିରେ ରଶିଦ କହିଥିଲେ ଯେ, ପୋଲିସ ପାଖରେ ଥିବା ଲୁହବୁହା ଗ୍ୟାସ୍ ଅନେକ ଦିନରୁ ଗୋଦାମରେ ଥିଲା । ଏହା ଠିକ୍ ଅଛି କି ନାହିଁ ତାହାର ଟେଷ୍ଟିଂ ଜରୁରୀ ଥିଲା । ଟେଷ୍ଟିଂ ପାଇଁ ଅଳ୍ପମାତ୍ରାରେ ଲୁହବୁହା ଗ୍ୟାସ୍ ବିକ୍ଷୋଭକାରୀଙ୍କ ଉପରୁ ଛଡ଼ା ଯାଇଥିଲା ବୋଲି ସେ କହିଛନ୍ତି ।
ରାୱଲପିଣ୍ଡିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରଶିଦ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସର ଟିୟର ଗ୍ୟାସ ପ୍ରୟୋଗ ଠିକ୍ ଥିଲା ବୋଲି କହିବାକୁ ଯାଇ ଯୁକ୍ତି କରିଥିଲେ ଯେ, ଅସଲ ସମସ୍ୟା ବିକ୍ଷୋଭକାରୀଙ୍କ ଉପରକୁ ଟିୟର ଗ୍ୟାସ୍ ପ୍ରୟୋଗ କରିବା ନୁହେଁ । ଅସଲ ସମସ୍ୟା ହେଉଛି ବେତନ ବୃଦ୍ଧି । ବର୍ତ୍ତମାନ ପରିସ୍ଥିତିରେ ଦରମା ବଢାଇବା ଦ୍ୱାରା ସରକାରୀ ରାଜକୋଷ ଉପରେ ବୋଝ ବଢିବ ।
ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୧୦ ତାରିଖ ଦିନ ଇସଲାମାବାଦରେ ଦରମା ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସରକାରୀ କର୍ମଚାରୀଙ୍କ ଉପରକୁ ପାକିସ୍ତାନୀ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ରଶିଦଙ୍କ ଏଭଳି ବକ୍ତବ୍ୟକୁ ପାକିସ୍ତାନରେ ବ୍ୟାପକ ବିରୋଧ ହେଉଛି । ଏକ ବେସରକାରୀ ଟିଭି ଅନୁସାରେ ୧୦ ତାରିଖ ଦିନ ପ୍ରାୟ ୨ ହଜାର କର୍ମଚାରୀ ପାକିସ୍ତାନୀ ସଂସଦ ଭବନ ଆଡ଼କୁ ଯାଉଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଟିୟର ଗ୍ୟାସ୍ ପ୍ରୟୋଗ କରିଥିଲା ।