କୋଭିଡ୍ ହସପିଟାଲରେ ଅଗ୍ନି ବ୍ୟବସ୍ଥାର ଯାଞ୍ଚ: ଉପକରଣର ବ୍ୟବହାର ଓ ଜରୁରୀକାଳୀନ କୌଶଳ ନେଇ ମକ ଡ୍ରିଲ କରିବ ଅଗ୍ନିଶମ ବାହିନୀ
ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ସୁରକ୍ଷା ପାଇଁ ପ୍ରୟାସ ଜାରି ରହିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋଗୀଙ୍କ ପାଇଁ ଏକମାତ୍ର ସାହାରା ହେଉଛି କୋଭିଡ଼ ହସପିଟାଲ । କିଭଳି କୋଭିଡ଼ ସେଣ୍ଟରରେ କୌଣସି ଆପତ୍ତି ଜନକ ପରିସ୍ଥିତି ନ ଉପୁଜେ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ଏନେଇ କୋଭିଡ୍ ମେଡିକାଲମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିବ ଅଗ୍ନିଶମ ବିଭାଗ ।
ରାଜଧାନୀର ତିନି ପ୍ରମୁଖ କୋଭିଡ ମେଡିକାଲ ସମ, କିମ୍ସ ଏବଂ ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯିବ । କୋଭିଡ ମେଡିକାଲରେ ଥିବା ଅଗ୍ନି ନିରାପତ୍ତା ଉପକରଣର ଯାଞ୍ଚ କରିବା ସହ ଏହାର ଉପଯୋଗ ବିଷୟରେ ମେଡିକାଲର କର୍ମଚାରୀଙ୍କୁ ସଚେତନ କରାଯାଉଛି ।
ସେହିପରି ଅଗ୍ନିଶମ ବାହିନୀ ଦ୍ୱାରା ମକ୍ ଡ୍ରିଲ୍ କରାଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି କଟକ ଜଗରପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ପରେ ଘଟଣାକୁ ଗୁରୁତର ସହ ନେଇ ଭୁବନେଶ୍ୱରର କୋଭିଡ ମେଡିକାଲ ମାନଙ୍କରେ ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ । ଅନ୍ୟପଟେ ସଦଗୁରୁ କୋଭିଡ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।