ଗୁଜରାଟର ବଲସାଡରେ ହମସଫର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲସାଡ: ଗୁଜରାଟର ବଲସାଡରେ ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ତିରୁଚିରାପଲ୍ଲୀ ଜଙ୍କସନ ଏବଂ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମସଫର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ବ୍ରେକ ଭ୍ୟାନର କୋଚରେ ଧୂଆଁ ଦେଖାଯାଇଥିଲା । ତେବେ ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଇଛି ଯେ ଟ୍ରେନରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଛି । ନିଆଁ ଲାଗିବା ଖବର ଜାଣିବା ପରେ ରେଲୱେ ବିଭାଗ ତତ୍ପରତା ଦେଖାଇଥିଲା । ସଙ୍ଗେ ସଙ୍ଗେ ପାଖ କୋଚର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା ଏବଂ କେହି ମୃତାହତ ହୋଇନଥିବା ସୂଚନା । ନିଆଁ କବଳରେ ଥିବା କୋଚକୁ ଟ୍ରେନରୁ ଅଲଗା କରିଦିଆଯାଇଛି ଏବଂ ଟ୍ରେନ୍ ଆଗକୁ ବଢ଼ିଛି ।

ନିଆଁ ଲାଗିବା ଖବର ଶୁଣିବା ମାତ୍ରେ ରେଲୱେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ସହ ନିଆଁକୁ କାବୁ କରିଛନ୍ତି । ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଟ୍ରେନଟି ମୁମ୍ବାଇରୁ ଅହମ୍ମଦାବାଦ ଯାଉଥିଲା । ସୂଚନାଥାଉକି, ଗତମାସରେ ମଦୁରାଇ ପାଖ ଏକ ପର୍ଯ୍ୟଟକ ଟ୍ରେନର ଏକ ଡବାରେ ନିଆଁ ଲାଗିବା କାରଣରୁ ଅତିକମରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦ ଜଣ ଆହତ ହୋଇଥିଲେ । ଟ୍ରେନଟି ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ରାମେଶ୍ୱରମ ଯାଉଥିଲା ।