ପୂର୍ବ ଶତ୍ରୁତା କାରଣରୁ ଫଳ ଦୋକାନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବଲାଙ୍ଗୀର: ବଲାଙ୍ଗୀର ବସଷ୍ଟାଣ୍ଡ ନିକଟରେ ଥିବା ଭେଣ୍ଡିଙ୍ଗ ଜୋନ୍ ଫଳ ବଜାରରେ ବିଳମ୍ବିତ ରାତିରେ କେହି ଦୃବୁତ୍ତ ନିଆଁ ଲଗାଇ ଦେଇଛି । ପୂର୍ବ ଶତ୍ରୁତାକୁ ନେଇ କେହି ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସମ୍ପୂର୍ଣ୍ଣ ଭାବେ ୭ରୁ ୮ଟି ଫଳ ଦୋକାନ ଜଳିଯାଇଛି । ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଫଳ ପୋଡ଼ି ଯାଇଛି ।
ଦୋକାନ ଭିତରେ ଶୋଇଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି । ଗୁରୁତର ଯୁବକଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି କୁନୁ ଘିବେଳା, ତାଙ୍କ ଶରୀରର ୪୦ପ୍ରତିଶତ ପୋଡିଯାଇଛି ।