ଶିମିଳିପାଳର ୩୦ ସ୍ଥାନରେ ଲାଗିଛି ନିଆଁ

ବାରିପଦା: ଗ୍ରୀଷ୍ମ ପ୍ରବାହକୁ ଜଙ୍ଗଲ ନିଆଁ ପାଲଟିଛି ଚିନ୍ତାର ବିଷୟ । ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ବିଭିନ୍ନ ସ୍ଥାନରେ ଲଗାଛି ନିଆଁ । ଗତକାଲି ୧୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ପ୍ରାୟ ୩୦ ସ୍ଥାନରେ ନିଆଁ ଲାଗିଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ପ୍ରକାଶ ଚାନ୍ଦ ଗୋଗିନେନି । ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଗତ କିଛିଦିନ ଧରି ମୟୂରଭଞ୍ଜ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାରୁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି । ଗତକାଲି ଶିମିଳିପାଳ ଅଭୟାରଣ୍ୟର ଉତ୍ତର ବନ୍ୟପ୍ରାଣୀ ଡିଭିଜନର ୮ଟି ସ୍ଥାନରେ ନିଆଁ ଲାଗିଥିଲା । ତେବେ ଆଜି ଶିମିଳିପାଳ କୋର ଅଞ୍ଚଳ ନୁହେଁ, ଶିମିଳିପାଳ ପାଦଦେଶରେ ଥିବା ବଫର ଅଞ୍ଚଳରେ ନିଆଁ ଲାଗିଥିବା ଜଣାପଡିଛି ।

ତାଳବନ୍ଧ, ନଅଣା, ଡୁକୁରା, ପିଠାବଟା ଆଦି ରେଞ୍ଜର ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିଛି । ଅତ୍ୟଧିକ ଗ୍ରୀଷ୍ମପ୍ରବାହ ପାଇଁ ଜଙ୍ଗଲ ଭିତରେ ଜମା ରହିଥିବା ଶୁଖିଲା ପତ୍ରରୁ ନିଆଁ ବ୍ୟାପୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ବନ ବିଭାଗର କର୍ମଚାରୀ, ବନସାଥୀ ଏବଂ ସ୍ଥାନୀୟ ଗ୍ରାମବାସୀ ନିଆଁ ଲିଭାଇବା କାର୍ଯ୍ୟକ୍ରମରେ ବନ କର୍ମଚାରୀଙ୍କୁ ସହଯୋଗ କରୁଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  ଶିମିଳିପାଳ ଅଭୟାରଣ୍ୟକୁ ନିଆଁ ଦାଉରୁ ରକ୍ଷା କରିବାକୁ ଅଧିକ ସଂଖ୍ୟକ କର୍ମଚାରୀ ମୁତୟନ କରାଯିବା ସହିତ ୮୦୦ରୁ ଅଧିକ ବ୍ଲୋୟର ମେସିନ ଯୋଗାଇ ଦିଆଯାଇଛି ।