Encounter in Kandhamal: କନ୍ଧମାଳରେ ଭୁଶୁଡ଼ୁଛି ମାଓ ଦୁର୍ଗ, ବେଲଘରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର
1 min read
ଫୁଲବାଣୀ: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା । କନ୍ଧମାଳ ଜିଲ୍ଲା ବେଲଘର ଥାନା ସିର୍କିରେ ଗୁଳି ବିନିମୟ ହୋଇଛି । ଏସଓଜି ଓ ସିପିଆଇ (ମାଓବାଦୀ)ଙ୍କ ମଧ୍ୟରେ ଦିନ ପ୍ରାୟ ୧୧ଟା ବେଳେ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୪ ଜଣ ମାଓବାଦୀଙ୍କ ମୃତଦେହ ମିଳିଛି । ଏଥିସହ ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ମାଓ ସାମଗ୍ରୀ ଜବତ କରିଛନ୍ତି ।
ଗୁଳିବିନିମୟ ପରେ ଅନ୍ୟ କିଛି ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି । ଏହା ପୂର୍ବରୁ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୨ ମାଓବାଦୀ ନିହତ ହୋଇଥିଲେ ।

ସେହିପରି ଜୁଲାଇ ୫ ତାରିଖରେ ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୬ ତାରିଖରେ ପୁଣି ଗୁଳିବିନିମୟରେ ଆଉ ଜଣେ ମାଓବାଦୀ ନିହତ ହୋଇଥିଲେ । ଏପରି ଭାବେ ମାତ୍ର ୨୦ ଦିନ ମଧ୍ୟରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ମାଓ ସଂଗଠନକୁ ଅଣନିଶ୍ୱାସୀ କରି ଦେଇଥିଲା ।

ଏହାର କିଛିଦିନ ପୂର୍ବରୁ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକର୍ମୀ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।