ଦୋଳ ମେଳଣରେ ଅଘଟଣ, ହାତରେ ଫୁଟିଗଲା ବାଣ

ଖୋର୍ଦ୍ଧା: ବାଣ ଫୁଟି ବଡ଼ ଅଘଟଣ  । ହାତରେ ବାଣ ଫୁଟିବା ଫଳରେ ଛିଣ୍ଡି ଗଲା ହାତ । ଘଟଣା ଘଟିଛି ଟାଙ୍ଗୀ ଥାନା ଭୁଷଣ୍ଡପୁରରେ । ଦୋଳ ମେଳଣ ପର୍ବରେ ବାଣ ଫୁଟା ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ବାଣ ଫୁଟି ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ଟାଙ୍ଗୀ ପରେ ଭୁବନେଶ୍ୱରର ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ମୁତାବକ ଗୁରୁତର ବ୍ୟକ୍ତିଙ୍କ ନାମ ହେଉଛି ନାରାୟଣ ମଲିକ । ସ୍ଥାନୀୟ ଅଞ୍ଚଳରେ ବାଣ କାରିଗର ଭାବେ ବେଶ ଜଣା । ଦୋଳ ମେଳଣ ଚାଲିଥିବାବେଳେ ବାଣ ଫୁଟାଉଥିଲେ ନାରାୟଣ  । ଏହି ସମୟରେ ଗୋଟେ ବାଣ ଅଧା ଫୁଟିଥିବା ବେଳେ ତାକୁ ହାତରେ ଧରି ଫୁଟାଇବାର ଚେଷ୍ଟା କରିଥିଲ ନାରାୟଣ  । ଫଳରେ ବାଣଟି ହାତରେ ହିଁ ଫୁଟିଯାଇଥିଲା  ।

ସେପଟେ ପୁରୀ ଜିଲ୍ଲା ବଳଙ୍ଗା ଥାନା ସାଇଁସ ଭଗବତୀପୁରରେ ମଧ୍ୟ ଅଘଟଣ ଦେସଖିବାକୁ ମିଳିଥିଲା  । ସ୍ଥାନୀୟ ଅଞ୍ଚଳରେ ପଞ୍ଚୁଦୋଳ ମେଳଣ ଚାଲିଥିଲାବେଳେ ବାଣ ଅଘଟଣ ଘଟିଥିଲା  । ହଜାର ହଜାର ଲୋକେ ମେଳଣକୁ ଉପଭୋଗ କରୁଥିବାବେଳେ ବାଣଟି ବିସ୍ଫୋରଣ ହୋଇଥିଲା  । ଲୋକଙ୍କ ଭିତରକୁ ଛିଟିକି ଆସିଥିଲା ବାଣ ପୁଞ୍ଝ  ।  ଉପସ୍ଥିତ ଲୋକେ କିଛି ବୁଝିବା ଆଗରୁ ଆଖି ଆଗରେ ଖସୁଥିଲା ନିଆଁ ପିଣ୍ଡୁଳା  । ଏହି ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି  ।