spot_img

Latest Posts

ଜଳୁଛି ପୁରୀ ମରୀଚିକୋଟର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ, ନୟାନ୍ତ ହେଲାଣି ଅଗ୍ନିଶମ ବାହିନୀ

ପୁରୀ: ଭୟାବହ ଅଗ୍ନିକାଣ୍ଡରେ ଧ୍ବସ୍ତବିଧ୍ବସ୍ତ ପୁରୀ ମରୀଚିକୋଟସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ। ସାରା ରାତି ନିଆଁ ଲାଗିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ନିଆଁକୁ କରାଯାଇପାରିନାହିଁ ଆୟତ୍ତ। କମ୍ପ୍ଲେକ୍ସର ପ୍ରଥମ ମହଲାକୁ ନିଆଁ ବ୍ୟାପିବା ଯୋଗୁ ସ୍ଥିତି ଅଧିକ ସଙ୍କଟଜନକ ହୋଇଛି। ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟ ହୋଇଛି ବାଧାପ୍ରାପ୍ତ ।

ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀର ପ୍ରାୟ ୧୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। କମ୍ପ୍ଲେକ୍ସ ଭିତରେ ପ୍ରବଳ ତାତି ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପୁରୀ ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗ୍ୟାସ କଟର ଜରିଆରେ ଦୋକାନ ଗୁଡିକର ସଟର କଟାଯାଉଛି। ସମ୍ରାଟ ହୋଟେଲରେ ଥିବା ୧୧୦ ପର୍ଯ୍ୟଟକଙ୍କୁ ବିଭିନ୍ନ ହୋଟେଲ ଓ ଧର୍ମଶାଳାରେ ପ୍ରଶାସନ ରଖିବାର ବ୍ୟବସ୍ଥା କରିଛି ।

ଅଗ୍ନିକାଣ୍ଡରେ ୨ କୋଟି ଟଙ୍କାରୁ ଅଧିକ ସାମଗ୍ରୀ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏତେବଡ଼ କମ୍ପ୍ଲେକ୍ସର ଗୋଟିଏ ହିଁ ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ପଥ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଯାଉଛି। ପ୍ରଥମ ମହଲାରେ ଏକ ବ୍ୟାଙ୍କ ରହିଥିବାରୁ ଏହାର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି।

ଗତକାଲି ରାତି ୮ଟାରେ ମରୀଚିକୋଟ ଛକ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଏକ ଲୁଗା ଦୋକାନରୁ ପ୍ରଥମେ ନିଆଁ ବ୍ୟାପିଥିଲା । ସେଠାରେ ୩ ଜଣ ଅଚେତ ହୋଇଥିଲେ । ସେମାନେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି । କମ୍ପ୍ଲେକ୍ସରେ ଗହଣା, ଖେଳଣା, ଲୁଗା, କସମେଟିକ୍ସ ଦୋକାନ ରହିଥିବାରୁ ନିଆଁ ବ୍ୟାପକ ହୋଇଥିଲା । ଅକ୍ସିଜେନ ସିଲିଣ୍ଡର, ଫାୟାର ଏସ୍କେପ୍ ମାସ୍କ ପିନ୍ଧି ଉଦ୍ଧାର କାର୍ଯ୍ୟ କରିଥିଲା ଫାୟାର ଟିମ୍ ।

Latest Posts

Don't Miss