ଜଳିଗଲା ହୋଟେଲ ଆଉ ହାଉସବୋଟ୍‌, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ହ୍ରଦ ଭିତରେ ହାଉସ ବୋଟରେ ବଡ଼ଧରଣର ଅଗ୍ନିକାଣ୍ଡ । ଜଳିଗଲା ୬ଟି ହାଉସବୋଟ ଓ ୩ଟି କୁଟୀର । କୋଟିଏ ଟଙ୍କାର ସମ୍ପତ୍ତି ହୋଇଯାଇଛି ନଷ୍ଟ । ଗତକାଲି ଶ୍ରୀନଗର ଅନ୍ତର୍ଗତ ଡାଲ ହ୍ରଦର ୯ ନମ୍ବର ଘାଟିରେ ଡେରା ପକାଇଥିବା କେତେକ ହାଉସବୋଟରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ତାହା ଅନ୍ୟ ବୋଟକୁ ବ୍ୟାପୀ ଯାଇଥିଲା । ଆଖିପିଛୁଳାକେ ନିଆଁରେ ୬ଟି ଦାମୀ ବୋଟ ଓ କୁଟୀର ପୋଡିଯାଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ । ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ କରୁଛି ପୋଲିସ ।

ଦାର୍ଜିଲିଂ ହିଲ ଟାଉନର ଦୁଇଟି ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ । ୨ଟି ହୋଟେଲ ଜଳିପୋଡି ପାଉଁଶ । ଗତକାଲି ରାତିରେ ନିଆଁ ଲାଗି ହୋଇଛି ବ୍ୟାପକ କ୍ଷୟକ୍ଷତି । ମାତ୍ର ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ୩ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମାତ୍ର ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିପାରିନାହିଁ ।ଘଟଣାର ତଦନ୍ତ କରୁଛି ପୋଲିସ ।